ଖବର ଓଡ଼ିଶା: ବର୍ଷେ ନ ପୁରୁଣୁ ରାସ୍ତାରୁ ସିମେଣ୍ଟ ବାଲି ଉଠିଗଲାଣି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ମତଭେଦ ଯୋଗୁଁ ବାକି ଥିବା ଅଧା ରାସ୍ତା ମଧ୍ୟ ନିର୍ମାଣ ହୋଇ ପାରୁ ନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମି ରହୁଛି ପାଣି । ଦୁଇ ବିଭାଗର କଳି ଭିତରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ସର୍ବବୃହତ ଗ୍ରାମ ସରସରାରୁ l
ବୌଦ୍ଧ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ସରସର ଗାଁ । ଗ୍ରାମ ପଞ୍ଚାୟତର ମୁଖ୍ୟାଳୟ l ପ୍ରାୟ ୬ ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ଗମ୍ଭୀର ଅବ୍ୟବସ୍ଥା ମଧ୍ୟରେ ରହିଛି । ପ୍ରାୟ ୨୫-୩୦ ବର୍ଷ ପରେ ଗତବର୍ଷ ଅକ୍ଟୋବର - ଜାନୁଆରୀ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପକ୍କା ରାସ୍ତା ନିର୍ମାଣ ହୋଇଥଲା । ନିମ୍ନ ମାନର କାମ ଯୋଗୁଁ ରାସ୍ତାରୁ ଗୋଡ଼ି ସିମେଣ୍ଟ ଉଠି ଖlଲ ହୋଇ ଗଲାଣି । ସବୁଠୁ ଅଧିକ ଚିନ୍ତାର ବିଷୟ ଗ୍ରାମର ମଧ୍ୟ ଭାଗ ଚାନ୍ଦିନୀ ଛକ ଠାରେ ପ୍ରାୟ ୨୦-୩୦ ମିଟର ରାସ୍ତା ନିର୍ମାଣ କରାଯାଇ ନାହିଁ l ଠିକ୍ ତା ମଧ୍ୟରେ ଥିବା ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ମତଭେଦ ରହିବା ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ସେହି ଅଂଶକୁ ଛାଡ଼ି ଦେଇଥିଲେ । ଫଳରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ଯାଉଛି । ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରାମର ଦୁଇ ମୁଣ୍ଡରେ ଥିବା ବିଦ୍ୟାଳୟର ଶହ ଶହ ଛାତ୍ର ଛାତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ କାଦୁଅ ପାଣିରେ ପଶି ଯିବା ଆସିବା କରୁଛନ୍ତି ।
ଗ୍ରାମବାସୀଙ୍କ ଦୁଃଖ ଏତିକିରେ ସରୁନି । ୫୭ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୩୦ ମିଟର ରାସ୍ତା ନିର୍ମାଣ ହୋଇ ନ ଥିବାରୁ ଗାଁକୁ ଚାଷ ଜମିର ଜଳ ପ୍ରବେଶ କରୁଛି । ଯାହାଦ୍ୱାରା ମଶାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏହା ସହିତ ସାପ କାମୁଡ଼ିବାର ଭୟ ଘାରିଛି । ଜଳପୂର୍ଣ୍ଣ ଖlଲ ମଧ୍ୟରେ ଯାନବାହାନ ଫସି ରହିବା ସହ ଲୋକେ ପଡ଼ି ଖଣ୍ଡିଆ ଖାବରା ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ରାସ୍ତା ଓ ପୋଲ ନିର୍ମାଣ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି l