ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ କାନାଡା କାଫେରେ ଗୁଳିମାାଡ଼ ଘଟଣା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପୁଲିସ ଗତିବିଧି ଦେଖିବାକୁ ମିଳିଛି। କପିଲଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ମୁମ୍ବାଇ ପୁଲିସ।
ଶୁକ୍ରବାର ସକାଳେ ମୁମ୍ବଇ ପୁଲିସର ଏକ ଟିମ୍ ହଠାତ୍ ଓଶିୱାରାସ୍ଥିତ କପିଲ ଶର୍ମାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ କିଛି ସମୟ ରହିବା ପରେ କୌଣସି ବୟାନ ନ ଦେଇ ସେଠାରୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୁଲିସର ଉପସ୍ଥିତି ସମୟରେ କିଛି ସମୟ ପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
କାନାଡାରେ ଥିବା କପିଲ ଶର୍ମାଙ୍କ କାଫେ ଉପରକୁ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଏକାଧିକ ରାଉଣ୍ଡ ଗୁଳିମାଡ କରିଛନ୍ତି। କାର୍ ରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିମାଡ କରିବା ପରେ ପଳାଇ ଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଗୁଳିକାଣ୍ଡର କାରଣ ଜଣାପଡିନାହିଁ। କାଫେ ଉପରକୁ କୌଣସି ଉଦ୍ଦେଶ୍ୟମୂଳକ ଟାର୍ଗେଟ କରାଯାଇଛି କିମ୍ବା କପିଲ ଶର୍ମାଙ୍କୁ ଭୟଭୀତ କରିବାକୁ ଗୁଳିମାଡ ହୋଇଛି ତାହା ଜଣାପଡିନାହିଁ। ତେବେ ଏହି ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡି ନିଜକୁ ଦାୟୀ କରିଛି। ହରଜିତ୍ ଭାରତ ପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲ୍ସା ଇଣ୍ଟରନେସନାଲ ସହିତ ସମ୍ପୃକ୍ତ।