ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଛି । ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଭାରତ ମଧ୍ୟ ଏହାର ପ୍ରତିନିଧିମାନଙ୍କୁ ପଠାଇଛି । ଖାମନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବାରୁ ଭାରତକୁ ଇରାନ ଧନ୍ୟବାଦ ଜଣାଇଛି । ଭାରତରେ ଥିବା ଇରାନୀ ଦୂତାବାସ ଏହାକୁ ପାରସ୍ପରିକ ସମ୍ମାନର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ଭାବରେ ବର୍ଣ୍ଣନା କରିଛି। ଏହା ଦୁଇ ଦେଶ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରେ, ଇରାନ କହିଛି ।
ଇରାନର ନିମନ୍ତ୍ରଣ କ୍ରମେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ତେହେରାନରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପ୍ରତିନିଧି ଦଳରେ ସମସ୍ତ ଧର୍ମାବଲମ୍ବୀ ହିନ୍ଦୁ, ମୁସଲିମ, ଶିଖ ଏବଂ ଖ୍ରୀଷ୍ଟିଆନ ନେତୃବୃନ୍ଦ ସାମିଲ ଥିଲେ । ବିହାର ରାଜ୍ୟପାଳ ସୟଦ ଆତା ହସନେନ୍, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା, କଂଗ୍ରେସ ନେତା ସଲମାନ ଖୁର୍ସିଦ ଏବଂ ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ପ୍ରତିନିଧି ଦଳରେ ସାମିଲ ଥିଲେ ।
ଇରାନ ପୋଷ୍ଟ କରି ଭାରତୀୟ ସମ୍ପ୍ରଦାୟକୁ ଧନ୍ୟବାଦ ଦେଇଛି। ପୋଷ୍ଟରେ କୁହାଯାଇଛି ଯେ ଇରାନ ଏହି ବନ୍ଧୁତା, ଦୟା ଏବଂ ହୃଦୟସ୍ପର୍ଶୀ ସମ୍ମାନକୁ କେବେ ଭୁଲିବ ନାହିଁ। ଇସଲାମିକ ଗଣରାଜ୍ୟ ଇରାନର ଦୂତାବାସ ଭାରତକୁ, ବିଶେଷକରି ଭାରତ ସରକାର ଏବଂ ଲୋକଙ୍କ ପକ୍ଷରୁ ଖାମେନିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସରକାରୀ ପ୍ରତିନିଧିମଣ୍ଡଳକୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ଏହି କାର୍ଯ୍ୟକ୍ରମରେ ରାଜନେତା, ସାଂସଦ ଏବଂ ଭାରତରେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟର ନେତାଙ୍କ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ମାନବିକ ସମ୍ପର୍କକୁ ପ୍ରତିଫଳିତ କରେ।
ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୮ ତାରିଖରେ ଆମେରିକାର ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତିମ ସଂସ୍କାର ହୋଇ ପାରି ନ ଥିଲା । ସୋମବାର ଦିନ ଇରାନର ରାଜଧାନୀ ତେହେରାନରେ ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଇରାନର ଜାତୀୟ ପତାକାରେ ଗୁଡ଼ାଯାଇଥିବା ୮୬ ବର୍ଷୀୟ ଖାମେନିଙ୍କ କଫିନକୁ ଏକ ଟ୍ରକରେ ରଖାଯାଇଥିଲା। ସେହି ଟ୍ରକରେ ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଇସ୍ରାଏଲୀ ଏବଂ ଆମେରିକାର ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ତାଙ୍କ ପରିବାର ସଦସ୍ୟଙ୍କ କଫିନ ମଧ୍ୟ ଥିଲା। କଳା ପୋଷାକ ପିନ୍ଧିଥିବା ଏକ ବିରାଟ ଶୋକସନ୍ତପ୍ତ ଜନତା ଏକତ୍ରିତ ହୋଇଥିଲେ। ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଚିତ୍ରଗୁଡ଼ିକରେ ତେହେରାନର ଆଜାଦୀ ସ୍କୋୟାରରୁ ସମାନ ନାମର ରାସ୍ତା ପର୍ଯ୍ୟନ୍ତ କିଛି କିଲୋମିଟର ପର୍ଯ୍ୟନ୍ତ ଏକ ବିଶାଳ ଭିଡ଼ ଦେଖାଯାଇଥିଲା। ୨୦୨୦ ମସିହାରେ ସ୍ୱର୍ଗତ କାସେମ ସୋଲେମାନୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଭିଡ଼ ଅପେକ୍ଷା ଏହି ଭିଡ଼ ଅଧିକ ଦେଖାଯାଉଥିଲା ।
ଏହି ଅନ୍ତିମ ଶୋଭାଯାତ୍ରାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଶୋକ ସନ୍ତପ୍ତ ଇରାନବାସିନ୍ଦା ସ୍ଲୋଗାନ ଦେଇଥିଲେ । ଇରାନ ଲୋକେ "ଟ୍ରମ୍ଫ ମୃତ" ବୋଲି ସ୍ଲୋଗାନ ଦେଇଥିଲେ।