ନୂଆଦିଲ୍ଲୀ: କୁଇନ୍ସଲାଣ୍ଡରେ ଭାରତର ବ୍ୟାଟିଂ ଯାଦୁ କାମ କରିନଥିବାବେଳେ ବୋଲିଂ ଯାଦୁ କାମ କରିଛି । ଭାରତର ଧୂଆଁଧାର ବୋଲିଂରେ ଆୟୋଜକ ଅଷ୍ଟ୍ରେଲିଆ ଦଳ ବିଜୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି । ଭାରତ ୪୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଫଳରେ ପାଞ୍ଚି ଟିକିଆ ସିରିଜରେ ଭାରତ ଆଜି ୨-୧ରେ ଆଗରେ ରହିଛି । ଏବେ ଭାରତ ପରବର୍ତ୍ତୀ ମ୍ୟାଚରେ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି ।
ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସେଭଳି ଆଶା ଜନକ ପ୍ରଦର୍ଶନ କରିପାରିନଥିଲା । ଉପ ଅଧିନାୟକ ଶୁବମନ ଗିଲଙ୍କ ସର୍ବାଧିକ ୪୬ ରନ୍ ବଳରେ ଦଳ ୮ଟି ୱିକେଟ୍ ହରାଇ ମାତ୍ର ୧୬୭ ରନ୍ କରିଥିଲା । ଅଷ୍ଟ୍ରେଲିଆକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିବା ଟିମ୍ ଇଣ୍ଡିଆ । ସମସ୍ତ କ୍ରିକେଟ ପ୍ରେମୀ ଭାରତର ସ୍କୋରକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ମଧ୍ୟ ଭାରତର ଟାର୍ଗେଟକୁ ପୂରା କରିବାରେ ବିଫଳ ହୋଇଥିଲା । ପ୍ରଥମେ ୩୭ ରନରେ ଭାରତକୁ ସଫଳତା ମିଳିଥିଲା । ଅକ୍ଷର ପଟେଲ୍ ମାଥ୍ୟୁଙ୍କୁ ଏଲବିଡବ୍ଲ୍ୟୁ କରି ପାଭିଲିୟନ୍ ପଠାଇଥିଲେ । ଦ୍ୱିତୀୟ ସଫଳତା ମଧ୍ୟ ଅକ୍ଷରଙ୍କ ଖାତାକୁ ଯାଇଥିଲା । ଅକ୍ଷର ଜୋସ୍ ଇଂଲିସଙ୍କ ୱିକେଟ୍ ନେଇଥିଲେ । ସେହିପରି ଅର୍ଶଦୀପଙ୍କ ବଲରେ ମାଇକେଲ୍ ମାର୍ସ ଆଉଟ୍ ହୋଇ ପଡ଼ିଆରୁ ବାହାରକୁ ଯାଇଥିଲେ । ଏହିପରି ଭାବେ ୧୦୦ ରନ୍ ମଧ୍ୟରେ ଅଷ୍ଟ୍ରେଲିଆ ୫ଟି ୱିକେଟ୍ ହରାଇଥିଲା । ଆୟୋଜକ ଦଳ ୧୮ ଓଭର୍ ୨ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିଛି । ମାଇକେଲ୍ ମାର୍ସ ସର୍ବାଧିକ ୩୦ ରନ୍ କରିଛନ୍ତି ।
ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଶିବମ୍ ଦୁବେ ଏବଂ ଅକ୍ସର ପଟେଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଅର୍ଶଦୀପ, ବୁମରାହ ଏବଂ ବରୁଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ଭାରତ ପକ୍ଷରୁ ଅଭିଷେକ ଶର୍ମା ୨୮(୨୧) ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ (୩୯), ଶିବମ ଦୁବେ ୩୨ (୨୯), ସୂର୍ଯ୍ୟକୁମାର ଯାଦବ ୨୦ (୧୦), ତିଲକ ବର୍ମା ୫ (୬), ଜିତେଶ ଶର୍ମା ୩(୪), ୱାଶିଂଟନ୍ ସୁନ୍ଦର ୧୨ (୭), ଅକ୍ଷର ପଟେଲ୍ ୨୧ (୧୧) ଏବଂ ବରୁଣ ୧ (୧) ରନ୍ କରିଛନ୍ତି । ଅର୍ଶଦୀପ ସିଂ ମାତ୍ର ତିନୋଟି ବଲ୍ ଖେଳି କୌଣସି ରନ ନ କରି ଫେରିଛନ୍ତି । ଅକ୍ଷର ଏବଂ ବରୁଣ ଉଭୟ ଅପରାଜିତ ରହିଛନ୍ତି ।
ଅପରପକ୍ଷେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ ଏବଂ ଆଦମ୍ ସାମ୍ପା ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ନାଥନ୍ ୪ ଓଭର୍ ବୋଲିଂ କରି ମାତ୍ର ୨୧ (୩ ୱିକେଟ୍) ରନ୍ ଦେଇଛନ୍ତି । ଜାମ୍ପା ୪ ଓଭର୍ ବୋଲିଂ କରି ସର୍ବାଧିକ ୪୫ ରନ୍ (୩ ୱିକେଟ୍) ଦେଇଛନ୍ତି । ସେହିପରି ଜାଭିଅର୍ ବାର୍ଟଲେଟ୍ ଓ ମାର୍କସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।