ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ChatGPT ‘80s ଟ୍ରେଣ୍ଡ’ ଏବେ କେବଳ ନଷ୍ଟାଲଜିଆରେ ସୀମିତ ରହିନାହିଁ। ଏହାକୁ ନେଇ ଆରମ୍ଭ ହୋଇଛି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ରାଜନୈତିକ ବାକଯୁଦ୍ଧ। AI ଦ୍ୱାରା ତିଆରି ହୋଇଥିବା ୧୯୮୦ ଦଶକର ଫଟୋକୁ ଅସ୍ତ୍ର କରି ଉଭୟ ଦଳ ପରସ୍ପରକୁ କଟାକ୍ଷ କରିଛନ୍ତି।
ସବୁକିଛି ଆରମ୍ଭ ହୋଇଥିଲା କେରଳ କଂଗ୍ରେସର ଏକ X ପୋଷ୍ଟରୁ। ପୋଷ୍ଟରେ AI ଦ୍ୱାରା ସୃଷ୍ଟି ହୋଇଥିବା ଏକ ଚିତ୍ରରେ ମାରୁତି ସୁଜୁକି ଓମ୍ନି ଭ୍ୟାନର ଡ୍ରାଇଭର ସିଟ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦେଖାଯାଇଥିଲା। କ୍ୟାପସନ୍ ଥିଲା “A Gujarat street in the 80s.” ଏହାକୁ ବିଜେପି ସରକାର ଉପରେ ପରୋକ୍ଷ ବ୍ୟଙ୍ଗ ବୋଲି ଧରାଯାଉଛି।
ତେବେ ପୋଷ୍ଟଟି ଭାଇରାଲ ହେବା ପରେ ଅନେକ ୟୁଜର ଏକ ରୋଚକ ତଥ୍ୟ ଧରିପକାଇଥିଲେ। ରାସ୍ତା କଡ଼ରେ ଥିବା ଏକ ପୋଷ୍ଟରରେ ହିନ୍ଦୀରେ ଲେଖା ଥିଲା “Please Smile, You Are in Delhi”। ଫଳରେ ଗୁଜରାଟର ଦାବିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ଏହାର କଡ଼ା ଜବାବ ଦେଇଥିଲା ବିଜେପିର ତେଲେଙ୍ଗାନା ୟୁନିଟ୍। ସେମାନେ ଏକ AI ଚିତ୍ର ପୋଷ୍ଟ କରିଥିଲେ, ଯେଉଁଥିରେ ଲାଲ ପୋଷାକ ପିନ୍ଧିଥିବା ଜଣେ ମହିଳା ବାର୍ ଭିତରେ ଟେବୁଲ୍ ଉପରେ ନୃତ୍ୟ କରୁଥିବା ଦେଖାଯାଇଥିଲେ। କ୍ୟାପସନ୍ ଥିଲା “Lusiana, Italy. Circa 1970s.” କାହାର ନାମ ଉଲ୍ଲେଖ ନଥିଲେ ମଧ୍ୟ ଏହା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜନ୍ମସ୍ଥାନକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।
ଏହି ବିବାଦ ମଧ୍ୟରେ ମାରୁତି ଓମ୍ନି ଭ୍ୟାନ ପୁଣି ଥରେ ଆଲୋଚନାରେ ଆସିଛି। ୧୯୮୪ରେ ଭାରତରେ ଲଞ୍ଚ ହୋଇଥିବା ଏହି ଗାଡ଼ି ବଲିଉଡ଼ର ଅନେକ ସିନେମାରେ ଗ୍ୟାଙ୍ଗଷ୍ଟର ଓ ଭିଲେନଙ୍କ ଯାନ ଭାବେ ଦେଖାଯାଉଥିଲା। ସେଥିପାଇଁ ଏହାକୁ ନେଇ ‘Kidnapping Van’ ମିମ୍ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।
ଏହି ଟ୍ରେଣ୍ଡରେ ରାଜନେତାମାନେ ମଧ୍ୟ ପଛରେ ରହିନାହାନ୍ତି। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ନିଜର ୮୦ ଦଶକର AI ଫଟୋ ସେୟାର କରି ଲେଖିଥିଲେ, “ସମସ୍ତେ ୮୦ ଦଶକକୁ ଫେରୁଛନ୍ତି, ମୁଁ ବି ନଷ୍ଟାଲଜିଆରେ।” ଅନ୍ୟପଟେ ପୀୟୂଷ ଗୋୟଲ ମଧ୍ୟ ହସୁଥିବା ଇମୋଜି ସହ ନିଜର ରେଟ୍ରୋ ଲୁକ୍ ପୋଷ୍ଟ କରିଥିଲେ।
ବାସ୍ତବରେ ChatGPT ‘80s ଟ୍ରେଣ୍ଡ’ ହେଉଛି AI ମାଧ୍ୟମରେ ଆଧୁନିକ ଫଟୋକୁ ୧୯୮୦ ଦଶକର ରଙ୍ଗ, ପୋଷାକ, ହେୟାରଷ୍ଟାଇଲ୍ ଓ ପରିବେଶରେ ପରିଣତ କରିବାର ଏକ ଲୋକପ୍ରିୟ ପ୍ରୟାସ। ସାଧାରଣ ୟୁଜର, ସେଲିବ୍ରିଟିଙ୍କ ପରେ ଏବେ ରାଜନୈତିକ ଦଳମାନେ ମଧ୍ୟ ଏହି ଟ୍ରେଣ୍ଡକୁ ପ୍ରଚାର ଓ ପରସ୍ପର ଆକ୍ରମଣର ନୂଆ ମାଧ୍ୟମରେ ପରିଣତ କରିଛନ୍ତି।