ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଆହୁରି ସହଜ ଓ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ନିର୍ବାଚନ ବିଭାଗ ବଡ଼ ପଦକ୍ଷେପ ନେଇଛି। ଏବେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଖୋଲିବ ସ୍ୱତନ୍ତ୍ର ହେଲ୍ପଡେସ୍କ। ଏହା ମାଧ୍ୟମରେ ଭୋଟରମାନେ ଭୋଟର ତାଲିକା ସମ୍ବନ୍ଧୀୟ ବିଭିନ୍ନ ସେବା ଓ ସୂଚନା ସହଜରେ ପାଇପାରିବେ।
ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ହେଲ୍ପଡେସ୍କରେ ଭୋଟରମାନେ ନାମ ଯୋଡ଼ିବା, ନାମ ସଂଶୋଧନ, ତଥ୍ୟ ଅପଡେଟ୍ କରିବା କିମ୍ବା ନାମ ବିଲୋପ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ। ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ମଧ୍ୟ ସହାୟତା ମିଳିବ। ପୁରୁଣା ଭୋଟର ତଥ୍ୟ ସହ ଲିଙ୍କିଂ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ମାର୍ଗଦର୍ଶନ ଦିଆଯିବ।
ବିଶେଷକରି ପ୍ରବାସୀ ଭୋଟର, ବୟସ୍କ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ହେଲ୍ପଡେସ୍କ ବଡ଼ ସହାୟକ ସାବ୍ୟସ୍ତ ହେବ। ସେମାନଙ୍କୁ ଭୋଟର ତାଲିକା ସମ୍ବନ୍ଧୀୟ କାମ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବା ସହ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ଉପଲବ୍ଧ ରହିବ।
ଏଥିସହ ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଏବଂ ECINet ଆପ୍ ବ୍ୟବହାର ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ମେ ୨୫ ସୁଦ୍ଧା ସମସ୍ତ ଜିଲ୍ଲାରେ ହେଲ୍ପଡେସ୍କ ସ୍ଥାପନ କରି ଏହାର ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ରହିଛି। ଭୋଟର ତାଲିକାର ସଠିକତା ବଜାୟ ରଖିବା ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟ ଅଧିକାର ସହ ଯୋଡ଼ି ରଖିବା ହିଁ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ।