ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ବୋଝେଇ ଏକ କଣ୍ଟେନର ସାମ୍ନାରେ ଯାଉଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେବାରୁ କ୍ୟାବିନ ଭିତରେ ଡ୍ରାଇଭର ଫସି ଯାଇଥିଲେ।
ସୂଚନା ଅନୁସାରେ, କଣ୍ଟେନରଟି ଓଡ଼ିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଜମାଳପୁର ବାଇପାସ ନିକଟରେ ଆଗରେ ଚାଲୁଥିବା ଟ୍ରକ ପଛରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କଣ୍ଟେନରର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଓ ଡ୍ରାଇଭର ପ୍ରାୟ ଦୁଇ ଘଣ୍ଟା ଧରି କ୍ୟାବିନ ଭିତରେ ଚାପି ରହିଥିଲେ।
ଖବର ପାଇ ଜଳେଶ୍ୱର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗ୍ୟାସ୍ କଟରରେ କ୍ୟାବିନ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା।
ଦୁର୍ଘଟଣାରେ ଡ୍ରାଇଭରଙ୍କ ଗୋଟିଏ ଗୋଡ଼ କଟି ଯାଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କୁ ଜଳେଶ୍ୱର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ଡ୍ରାଇଭର ନାଗାଲାଣ୍ଡର ବାସିନ୍ଦା ବୋଲି ସୂଚନା ମିଳିଛି। ପୋଲିସ ଉଭୟ ଗାଡ଼ିକୁ ଜବତ କରି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି।