ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାରା ରାଜ୍ୟର ୩୦ ଜିଲ୍ଲାରେ ୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ବାର ହଜାର କୋଟିର ବ୍ୟୟବରାଦ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ ପାଇଁ ୫ ରୁ ୭ କୋଟି ବ୍ୟୟ ହେବ। ପଞ୍ଚାୟତ ଅଫିସ ପାଖରେ ୫ ଏକର ଗ୍ରୀନ ଫିଲଡରେ ନିର୍ମାଣ ହେବ ସ୍କୁଲ । ପଞ୍ଚାୟତ ଅଫିସ ପାଖରେ ସ୍ଥାନାଭାବ ଥିଲେ ଜନସଂଖ୍ୟା ବହୁଳ ସ୍ଥାନରେ ହେବ।
ଏହି ଅବସରରେ ମୁଖମନ୍ତ୍ରୀ କହିଛନ୍ତି, ଏହାର ପ୍ରମୁଖ ଲକ୍ଷ୍ୟ ହେଉଛି ସମଗ୍ର ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ପରିବର୍ତ୍ତନ କରିବା। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି। ଏହାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭରେ, ସରକାର ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ ୫୦୦ ରୁ ଅଧିକ ସ୍କୁଲ ନିର୍ମାଣ ଆରମ୍ଭ କରିଥିଲେ। ଏହି ଯୋଜନା ଜାତୀୟ ଶିକ୍ଷା ନୀତି (NEP 2020) ସହିତ ସମନ୍ୱୟ ରଖିଛି ଏବଂ ଡିଜିଟାଲ୍ ଶ୍ରେଣୀଗୃହ, STEM ଶିକ୍ଷା, କ୍ରୀଡା ସୁବିଧା ଏବଂ ମୌଳିକ ସାକ୍ଷରତା ଏବଂ ସଂଖ୍ୟା (FLN) ଉପରେ ଏକ ବିଶେଷ ଧ୍ୟାନ ପ୍ରଦାନ କରୁଛି।
ପ୍ରଥମ ପର୍ଯ୍ୟାୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୨୫-୨୬ ଠାରୁ ୨୦୨୮-୨୯ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏହି ବିଦ୍ୟାଳୟ ଗୁଡିକ ଗ୍ରାମ ପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପନ କରାଯିବ ଯେଉଁଠାରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ଥିବା ସହିତ ରାସ୍ତାର ବ୍ୟବସ୍ଥା ଥିବ।
ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।