ପୁରୀ: ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଚାଷ ବିରୋଧରେ ବଡ଼ ଧରଣର ଅଭିଯାନ ଚାଲାଇଛି ପୁରୀ ଜିଲ୍ଲା ପ୍ରଶାସନ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ମାତ୍ର ୩ ଦିନ ମଧ୍ୟରେ ୧,୦୬୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି। ମାଟି ବନ୍ଧ ଘେରିଠାରୁ ଆରମ୍ଭ କରି ମଶାରୀ ଘେରି ପର୍ଯ୍ୟନ୍ତ ସବୁକୁ ଭାଙ୍ଗି ଦିଆଯାଇଛି।
ପ୍ରଶାସନିକ ସୂଚନା ଅନୁସାରେ, ଅଭିଯାନର ପ୍ରଥମ ଦିନ ସୁନାମୁହିଁ ଆର୍ଆଇ ଅଧୀନ ବଡବେଣାକୁଦି ଚିଲିକାରେ ୩୭ ଏକର ବେଆଇନ ଘେରି ଉଚ୍ଛେଦ ହୋଇଥିଲା। ଦ୍ୱିତୀୟ ଦିନ ସାତପଡ଼ା ଆର୍ଆଇ ଅଧୀନ ଗମ୍ଭାରୀ ଅଞ୍ଚଳରେ ୪୪୦ ଏକର ଓ ତୃତୀୟ ଦିନ ପଣସପଦା ଆର୍ଆଇ ଅଧୀନ ପଣ୍ଡା-ଗୋଲା ଚିଲିକାରେ ୫୭୦ ଏକର ଘେରି ଭାଙ୍ଗି ଦିଆଯାଇଛି।
ଚିଲିକାକୁ ବେଆଇନ ଚିଙ୍ଗୁଡ଼ି ଘେରିମୁକ୍ତ କରିବା ପାଇଁ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ସୁପରଭାଇଜର, ସାତପଡ଼ା, ସୁନାମୁହିଁ ଓ ପଣସପଦା ଆର୍ଆଇଙ୍କ ସହ ପୋଲିସ ଫୋର୍ସ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥିଲେ।
ବର୍ଷ ବର୍ଷ ଧରି ଚିଲିକାର ଜୈବ ବିବିଧତା ଓ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା ପାଇଁ ବେଆଇନ ଘେରି ବଡ଼ ସମସ୍ୟା ପାଲଟିଥିଲା। ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।