ନୂଆପଡ଼ା ଜିଲ୍ଲାର ତିଖାଲି ଡ୍ୟାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ଜଣେ ୧୯ ବର୍ଷୀୟ ଯୁବକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଦୀର୍ଘ ସନ୍ଧାନ ପରେ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଯୁବକ ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନ ବଡ଼ବାଙ୍କି ଗ୍ରାମର ୧୯ ବର୍ଷୀୟ ଗୋବିନ୍ଦ ମାଝୀ। ଗୋବିନ୍ଦ ତାଙ୍କର ତିନିଜଣ ସାଙ୍ଗ ପ୍ରେମ ମାଝୀ, ଲାକି ଧରୁଆ ଏବଂ ଅନ୍ୟ ଜଣେ ଯୁବକଙ୍କ ସହ ଦୁଇଟି ମୋଟରସାଇକେଲରେ ତିଖାଲି ଡ୍ୟାମ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ।
ସନ୍ଧ୍ୟା ସମୟରେ ସେମାନେ କୋମନା ଥାନା ଅନ୍ତର୍ଗତ ପେଣ୍ଡରା ବନ୍ଧ ବ୍ରିଜ ନିକଟରେ ଗାଧୋଇବାକୁ ପାଣିକୁ ଓହ୍ଲାଇଥିଲେ। ହସଖୁସିରେ ଚାଲିଥିବା ଗାଧୋଇବା ମଝିରେ ହଠାତ୍ ଗୋବିନ୍ଦ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ବୁଡ଼ିଯାଇଥିଲେ। ସାଙ୍ଗମାନେ ତୁରନ୍ତ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅନେକ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଗୋବିନ୍ଦଙ୍କ କୌଣସି ପତ୍ତା ମିଳିନଥିଲା। ପରେ ସେମାନେ କୋମନା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ରାତି ହୋଇଯାଇଥିବାରୁ ଅନ୍ଧାର ମଧ୍ୟରେ ଖୋଜାକାର୍ଯ୍ୟ ସମ୍ଭବ ହୋଇନଥିଲା।
ଶୁକ୍ରବାର ସକାଳେ ପୁଣିଥରେ ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟର ଖୋଜାଖୋଜି ପରେ ତିଖାଲି ଡ୍ୟାମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଗ୍ରୀଷ୍ମ ଦିନରେ ଡ୍ୟାମ ଓ ନଦୀରେ ଗାଧୋଇବା ବେଳେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।