Home >
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି : ସେଟ- ବି ର ପ୍ରଶ୍ନପତ୍ରରେ ସେଟ-ଏ- ପ୍ରଶ୍ନ,୫୦ଟି ପ୍ରଶ୍ନ ବଦଳରେ ୪୯ଟି ପ୍ରଶ୍ନ
Khabar Odisha:board-authorities-admit-error-relating-question
ଖବର ଓଡିଶା : 18/03/2023:

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ମାନିଛନ୍ତି ବୋର୍ଡ କର୍ତୃପକ୍ଷ । ତେବେ ମୁଦ୍ରଣ ଜନିତ ତ୍ରୁଟି ପାଇଁ କୌଣସି ପରୀକ୍ଷାର୍ଥୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ ନାହିଁ । ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଡକ୍ଟର ରାମାଶିଷ ହାଜରା । ଯେଉଁ ଯେଉଁ ପରୀକ୍ଷା କେନ୍ଦ୍ରରୁ ଅଭିଯୋଗ ଆସୁଛି, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ମୂଲ୍ୟାୟନ ସମୟରେ ବି ସେଟ ପ୍ରଶ୍ନପତ୍ରର ଉତ୍ତର ଦେଇଥିବା ଛାତ୍ରଙ୍କ ଉତ୍ତରଖାତାକୁ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଶ୍ନପତ୍ରରେ ବିଭ୍ରାଟ ଯୋଗୁଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ କିଭଳି ପ୍ରଭାବିତ ହେବ ନାହିଁ, ତା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବୋର୍ଡ କର୍ତୃପକ୍ଷ । ଆଜି ମାଟ୍ରିକ ପରୀକ୍ଷାରେ ହୋଇଥିବା ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷାରେ ସେଟ ବି ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ଅଭିଯୋଗ ଆସିଛି । ସାମାଜିକ ବିଜ୍ଞାନର ସେଟ ବି ପ୍ରଶ୍ନପତ୍ରରେ ୫୦ଟି ପ୍ରଶ୍ନ ବଦଳରେ ୪୯ଟି ପ୍ରଶ୍ନ ଥିବା କୁହାଯାଉଛି । ପ୍ରଶ୍ନପତ୍ରରୁ ୧୯ ନଂ ପ୍ରଶ୍ନ ସମ୍ପୂର୍ଣ୍ଣ ଗାଏବ ହୋଇ ଯାଇଛି।କିଛି ପରୀକ୍ଷା କେନ୍ଦ୍ରରେ ସେଟ- ବି ର ପ୍ରଶ୍ନପତ୍ରରେ ସେଟ-ଏ- ପ୍ରଶ୍ନ ପଡିଥିବା ମଧ୍ୟ ଅଭିଯୋଗ ହୋଇଛି ।ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ଗୋଟିଏ ବି ମାର୍କ କଟିବନି ବୋଲି ପ୍ରତିଶ୍ରୁତି ଦେଇଛି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବି ଏପରି ଅଭିଯୋଗ ଆସିଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍କୁଲରେ ବି ସମାନ ସମସ୍ୟା ଉପୁଜିଥିବା ଜଣାଯାଇଛି। 

Subscribe

National International State Sports Entertainment