ନୂଆଦିଲ୍ଲୀ: ସମାଜବାଦୀ ପାର୍ଟୀ ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି । ମାମଲାରେ ସୁପ୍ରିମକୋର୍ଟଙ୍କର ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ଅନ୍ତରୀଣ ଆଦେଶରେ କହିଛନ୍ତି ଅଦାଲତ ।
ଗୁରୁବାର ଇଡି ପକ୍ଷରୁ ଆଜମ ଖାନଙ୍କ ଜାମିନ ଆଦେଶକୁ ବିରୋଧ କରି କରାଯାଇଥିବା ଆବେଦନର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ବିଚାରପତି ଏମଏମ ସୁନ୍ଦରେଶ ଏବଂ ବିଚାରପତି ପିପି ବରାଲେଙ୍କ ଖଣ୍ଡପାଠୀ ମାମଲାର ଶୁଣାଣି କରିଛନ୍ତି । ଦୁଇଟି ପାନ୍ କାର୍ଡ ରଖିବା ମାମଲାରେ ଆଜମ ଖାନ ମୁକ୍ତ ହେବା କ୍ଷଣି ୪୦ ମିନିଟ୍ ପରେ ତୁରନ୍ତ ଇଡି ତାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା । ଆହ୍ଲାବାଦ ହାଇକୋର୍ଟ ଆଜମ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଇଡି ଏ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାତ୍ର ସୁପ୍ରିମକୋର୍ଟ ଇଡିର ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଅନ୍ତରୀଣ ଆଦେଶ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ।
ଇଡି ପକ୍ଷରୁ ଉପସ୍ଥିତ ଥିବା ଆଡିସନାଲ ସଲିସିଟର ଜେନେରାଲ ଏସ୍. ଭି. ରାଜୁ, ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଗିରଫଦାରୀର କାରଣ ପ୍ରକାଶ କରାଯାଇ ନଥିଲା। ଆଡିସନାଲ ସଲିସିଟର ଜେନେରାଲ ଜଣାଇଲେ ଯେ ବାସ୍ତବରେ ଗିରଫଦାରୀର କାରଣ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇ ଦିଆଯାଇଥିଲା। ତଥାପି ସୁପ୍ରିମକୋର୍ଟ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଛନ୍ତି । ଖାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ଆଜମ ଖାନ ପାନ କାର୍ଡ ମାମଲାରେ ଜେଲରୁ ମୁକ୍ତ ହୋଇଥିଲେ । ବିଦ୍ୟାଳୟ ନିର୍ମାଣରେ ଆର୍ଥିକ ହେରଫେର ମାମଲାର ଇଡି ତାଙ୍କୁ ୪୦ ମିନିଟ୍ ପରେ ଗିରଫ କରିଥିଲା । ଏହା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଆଲାହାବାଦ ହାଇକୋର୍ଟ ମଙ୍ଗଳବାର ଆଜମ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ବୁଧବାର ଗାଜିଆବାଦ ସିଜେଏମ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା ଏବଂ ୫୦,୦୦୦ ଟଙ୍କା, ଦୁଇ ଜଣ ଜାମିନଦାର ଏବଂ କାଗଜପତ୍ର ପରେ ଆଜମ ଖାନଙ୍କୁ ସନ୍ଧ୍ୟା ୬:୩୩ ରେ ମୁକ୍ତ କରାଯାଇଥିଲା।