ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଜର୍ସି ପ୍ରାୟୋଜକଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆପୋଲୋ ଟାୟର୍ସ ହୋଇଛି ଟିମ୍ ଇଣ୍ଡିଆର ଜର୍ସି ସ୍ପନସରସିପ୍। ଏବେ ଭାରତୀୟ ଦଳର ଜର୍ସିରେ ଦେଖିବାକୁ ମିଳିବ ଆପୋଲୋ ଟାୟାର୍ସର ନାଁ। ଆପୋଲୋ ଟାୟାର୍ସ ବିସିସିଆଇ ସହ ୨୦୨୭ ପର୍ଯ୍ୟନ୍ତ ଚୁକ୍ତି କରିଛି। ଅନଲାଇନ ଗେମିଂ କମ୍ପାନି ଡ୍ରିମ ଇଲେଭେନ ସହ ଚୁକ୍ତିନାମା ରଦ୍ଦ ହେବା ପରେ ବିସିସିଆଇ ଏହି ନୂଆ ପ୍ରାୟୋଜକ ନାଁ ଘୋଷଣା କରିଛି। ବର୍ତ୍ତମାନ ଭାରତୀୟ ଦଳ ବିନା ପ୍ରାୟୋଜକରେ ୟୁଏଇରେ ଏସିଆ କପ୍ ଖେଳୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଜାରି ଦିନିକିଆ ସିରିଜରେ ବିନା ପ୍ରାୟୋଜକରେ ଖେଳୁଛି।
ଆପୋଲୋ ଟାୟାର୍ସ ବିସିସିଆଇକୁ ମ୍ୟାଚ୍ ପିଛା ପ୍ରାୟ ୪.୫ କୋଟି ଟଙ୍କା ପୈଠ କରିବ, ଯାହା ଡ୍ରିମ ଇଲେଭେନ ତୁଳନାରେ ଅଧିକ। ଡ୍ରିମ ଇଲେଭେନ ବିସିସିଆଇକୁ ପ୍ରତି ମ୍ୟାଚ୍ ପାଇଁ ୪ କୋଟି ଟଙ୍କା ପ୍ରଦାନ କରୁଥିଲା। ଭାରତର ଆଗାମୀ ଅନ୍ତର୍ଜାତୀୟ କ୍ରୀଡ଼ାସୂଚୀ ବହୁତ ବ୍ୟସ୍ତବହୁଳ ରହିଛି। ଏଥିରେ ନୂଆ ପ୍ରାୟୋଜକଙ୍କୁ ବୈଶ୍ଵିକସ୍ତରରେ ପରିଚୟ ମିଳିବ। ଭାରତ ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ମ୍ୟାଚ୍ ଖେଳିବ। ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଆଗାମୀ ମହିଳା ବିଶ୍ଵକପରେ ଭାରତୀୟ ଦଳର ଜର୍ସିରେ ନୂଆ ପ୍ରାୟୋଜକର ନାଁ ରହିବ କି ନାହିଁ।
ସୂଚନାଯୋଗ୍ୟ, ଅନଲାଇନ ଗେମିଂ ଅଧିନିୟମ ୨୦୨୫ର ପ୍ରଚାର ଓ ବିନିୟମ ସଂସଦର ଉଭୟ ଗୃହରେ ପାରିତ ହେବା ପରେ ବିସିସିଆଇ ଓ ଡ୍ରିମ ଇଲେଭେନ ମଧ୍ୟରେ ଚୁକ୍ତିନାମା ବାତିଲ୍ ହୋଇଥିଲା। ବିସିସିଆଇର ଡ୍ରିମ ଇଲେଭେନ ସହ ବାର୍ଷିକ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା। ତେବେ ଅନଲାଇନ ଗେମିଂ ଅଧିନିୟମ ୨୦୨୫ ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଆଇନରେ ପରିଣତ ହେବା ପରେ ଭାରତୀୟ ଦଳ ସହ ଡ୍ରିମ ଇଲେଭେନର ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ପରେ ବିସିସିଆଇ ନୂତନ ପ୍ରାୟୋଜକ ସନ୍ଧାନରେ ଥିଲା, ଯିଏ ଭାରତୀୟ ଦଳର ଲୋକପ୍ରିୟତାକୁ ବଜାୟ ରଖିବା ସହ ଚାପର ମୁକାବିଲା କରି ପାରୁଥିବ।