ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବଡ଼ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ତୃତୀୟ ଥର ପାଇଁ ବିଜେପି ସରକାରକୁ ଆସିଲେ 'ୟୁନିଫର୍ମ ସିଭିଲ୍ କୋଡ୍' (UCC) ବା ସମାନ ନାଗରିକ ସଂହିତା ଲାଗୁ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟି ର ଶୀର୍ଷ ନେତୃତ୍ୱ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଦଳର ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚିତ ଅମିତ ଶାହଙ୍କ ତତ୍ତ୍ୱାବଧାନରେ, ବିଜେପି ନିଜର ନିର୍ବାଚନ ପ୍ରଚାରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସାଙ୍ଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଛି । ବିଜେପି କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଉଦ୍ଘାଟନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶାହ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଧର୍ମପାଲ ସିଂହ, ରାଜ୍ୟ ପ୍ରଭାରୀ ବିନୋଦ ତାୱଡେ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ମଧ୍ୟ ଉପସ୍ଥିତ ଥିଲେ।
ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ, ଶାହ ଉତ୍ତର ପ୍ରଦେଶ ବିଜେପି ଟିମ୍ରେ ଉତ୍ସାହ ଭରିଦେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି ରାଜ୍ୟରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସେ ରାଜ୍ୟରେ ୟୁସିସି ଲାଗୁ କରାଯିବ ।
ଶାହ କହିଛନ୍ତି ଯେ ଅନ୍ୟ କେତେକ ରାଜ୍ୟରେ ୟୁସିସି ପୂର୍ବରୁ ହିଁ ଲାଗୁ ହୋଇସାରିଛି ଏବଂ ବର୍ତ୍ତମାନ ଉତ୍ତର ପ୍ରଦେଶର ପାଳି ଆସିଛି। ସେ ବିଜେପି ସରକାର ଗଠନ କରିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହା ପରେ ୟୁସିସି ଲାଗୁ କରାଯିବ।
ପୂର୍ବରୁ ୟୁସିସି ଗୁଜରାଟ ଓ ଆସାମରେ ଲାଗୁ ହୋଇ ସାରିଛି । ୟୁସିସି ଲାଗୁ ହେବା ପରେ ରାଜ୍ୟରେ ସମସ୍ତ ସମ୍ପ୍ରଦାୟ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ଲିବ୍ ଇନ୍ ରିଲେସନସିପ୍ ପାଇଁ ସମାନ ନିୟମ ଲାଗୁ ହେବ । ପଞ୍ଜିକୃତ ହେବ ଲିଭ୍-ଇନ୍ ରିଲେସନସିପ୍, ସମସ୍ତ ଧର୍ମରେ ବିବାହ ପଞ୍ଜିକରଣ ବାଧ୍ୟତା ମୂଳକ, ସବୁ ଧର୍ମରେ ବିବାହ ବୟସ ସମାନ ଏବଂ ଉତ୍ତରାଧିକାରୀ ପାଇଁ ସମାନ ନିୟମ ଲାଗୁ ହେବ ।