ଭୁୁବନେଶ୍ୱର: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ଅନେକ ମାସ ହେବ ନିଜର ପରବର୍ତ୍ତୀ ଅଧ୍ୟକ୍ଷ ପଦକୁ ନେଇ ବିଚାର ବିମର୍ଶ ଚଳାଇଛି । ସଦ୍ୟତମ ଖବର ଅନୁଯାୟୀ, ବିଜେପି ନିଜର ପରବର୍ତ୍ତୀ ଅଧ୍ୟକ୍ଷ ଘୋଷଣା ଅଗଷ୍ଟ ୧୫ ତାରିଖ ଭିତରେ କରିପାରେ । ତେଣୁ ବିଜେପି ସମର୍ଥକ ଏବଂ ନେତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଦୌଡରେ ସର୍ବାଗ୍ରେ ରହିଛନ୍ତି ।
ଇଣ୍ଡିଆ ଟୁଡେ ସହ ସାକ୍ଷାତକାର ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି, ଏହି ମାମଲାରେ ସେ ପାର୍ଟିର ନିର୍ଦ୍ଦେଶର ପାଳନ କରିବେ । ଜଣେ ସମର୍ପିତ ସ୍ୱଂୟ ସେବକ ଓ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତା ଭାବେ ପାର୍ଟିର ଯେ କୌଣଶି କାମକୁ ପୂରା ସଚ୍ଚୋଟତାର ସହ ପୂରା କରିବାରେ ବିଶ୍ୱାସ ରଖିଥାଏ ବୋଲି ଶିବରାଜ କହିଛନ୍ତି ।
ଅବସରକୁ ନେଇ ପ୍ରଶ୍ନ ଉପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୋତେ ଏହି ପଦ ମିଳିବ କି ନାହିଁ ତାକୁ ନେଇ ମୁଁ ଅଧିକ ଚିନ୍ତା କରୁନି । ଯଦି ଜଣେ ବ୍ୟକ୍ତି ଏମିତି ଚିନ୍ତା କରେ ତେବେ ଏହା ତାଙ୍କର କାର୍ଯ୍ୟକ୍ଷମତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ପ୍ରଭାବ ପକାଇଥାଏ । ମୁଁ ଚାରି ଥର ମୁଖ୍ୟମନ୍ତ୍ରୀ ରହିଲି, ୧୨ ଥର ବିଧାୟକ ରହିଲି ଏବଂ ଏବେ କେନ୍ଦ୍ର ମନ୍ତ୍ରୀ ଅଛି ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଚାରି ଜଣଙ୍କ ନାମ ଦୌଡରେ ସର୍ବାଗ୍ରେ ରହିଛି । ଏଥିରେ ଶିବରାଜ ସିଂ ଚୌହାନଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ବିଜେପିର ବରିଷ୍ଠ ନେତା ବିଡି ଶର୍ମାଙ୍କ ନାଁ ସାମିଲ । ଏହା ମଧ୍ୟ ଚର୍ଚ୍ଚା ଚାଲିଛି ଯେ ବିଜେପିକୁ ପ୍ରଥମ ମହିଳା ଅଧ୍ୟକ୍ଷ ମିଳିପାରେ । ଏହି ଦୌଡରେ ନିର୍ମଳା ସୀତାରମଣ, ଡି ପୁରେନ୍ଦଶ୍ୱରୀ ଓ କୋଏମ୍ବାଟୁରରୁ ବିଧାୟକ ବନାଥୀ ଶ୍ରୀନିବାସନ ରହିଛନ୍ତି ।