ଆଜି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା | ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଶୁଲିଆ ପୀଠ | ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି । ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଆଗରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୁଲିସ ପ୍ରଶାସନ। ଆଉ ସେଭଳି କିଛି କଟକଣା ନାହିଁ।
ବର୍ଷ ବର୍ଷ ଧରି ଏହି ଶୁଲିଆ ପୀଠରେ ବଳି ପଡିବ ପରମ୍ପରା ଚାଲିଆସିଛି ତେବେ ଚଳିତ ଥର ମଧ୍ୟ ଶୁଲିଆ ଯାତ୍ରାରେ ପଡିଛି ବଳି । ବିଶ୍ୱାସ ରହିଛି ଏହି ପୀଠରେ ବଳି ଦେଇ ମାନସିକ କରିଲେ କୁଆଡେ ମନୋସ୍କାମନା ପୂରଣ ହୋଇଥାଏ । ଆଦିବାସୀମାନେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ପୀଠସ୍ଥଳକୁ ଯାଇ ପଶୁପକ୍ଷୀ ଯଥା ଛେଳି,ମେଣ୍ଢା,ବତକ,କୁକୁଡା ବଳି ଦେଇଥାନ୍ତି । ଶୁଲିଆ ଯାତ୍ରା ସମୟରେ ଦେହୂରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ବଦଳରେ ବକଳ ଧାରଣ କରିଥାନ୍ତି । ପରମ୍ପରାର ବିଧିରକ୍ଷା ପାଇଁ ସହଯୋଗ କରିବାକୁ ପ୍ରଶାସନକୁ ଅନୁରୋଧ କରିଛି ଆଦିବାସୀ ସଂଘ ।