ସମ୍ବଲପୁର : ଜିଏମ ବିଶ୍ଵବିଦ୍ୟାଳୟ ଠାରେ ଅଧ୍ୟାପକଙ୍କ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ଘଟଣା ଆଜି ଭିନ୍ନ ମୋଡ ନେଇଛି। ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇ ଗିରଫ ହେବାପରେ ନିଳମ୍ବିତ ହୋଇଥିବା ଅଭିଯୁକ୍ତ ସହକାରୀ ପ୍ରଫେସର ଗୋପିକାନ୍ତ ସୁନାଙ୍କ ବିଜେଡି ଲିଙ୍କ୍ ରହିଥିବା ନେଇ ଏବିଭିପି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ଏନେଇ ଏବିଭିପି ପକ୍ଷରୁ ଅଭିଯୁକ୍ତ ଗୋପିକାନ୍ତ ସୁନାଙ୍କ ସହିତ ବିଜେଡି ଛାତ୍ର ସଂଗଠନ ଓ ବିଜେଡି ନେତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଘନିଷ୍ଠତା ପ୍ରଦର୍ଶନ କରୁଥିବା ବିଭିନ୍ନ ଫଟୋକୁ ଦେଖାଇ ଦୃଢ଼ ପ୍ରତିବାଦ କରାଯାଇଥିଲା।
ଅଭିଯୁକ୍ତ ଗୋପିକାନ୍ତଙ୍କ ବିଜେଡି ଛାତ୍ର ସଂଗଠନ (ବିସିଜେଡି) ଓ ବିଜେଡି ସହିତ ଘନିଷ୍ଠତା ଥିବାବେଳେ ଏଥିପାଇଁ ଛାତ୍ରୀ ନିର୍ଯାତନା ଘଟଣାରେ ବିସିଜେଡି ଓ ବିଜେଡି କୁ ଏବିଭିପି ପକ୍ଷରୁ ଦାୟୀ କରାଯାଇଛି।ଏହାସହିତ ଜିଏମୟୁ ସମ୍ମୁଖରେ ବିଜୁ ଛାତ୍ର ସଂଗଠନ (ବିସିଜେଡି) ଓ ବିଜେଡି ଦଳୀୟ ଚିହ୍ନର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏନେଇ ପରେ ଜିଏମୟୁ କତ୍ତୃପକ୍ଷଙ୍କ ସହ ସମଗ୍ର ଘଟଣା ନେଇ ଆଲୋଚନା ମଧ୍ୟ କରିଥିଲେ।
ଅନ୍ୟପକ୍ଷରେ ଜିଏମୟୁର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ କହିଛନ୍ତି ଯେ ଏହି ଘଟଣା ପରେ ବିଶ୍ଵବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ଆଗକୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନହେବ ସେନେଇ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କ ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ତଥା କର୍ମଚାରୀଙ୍କୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି।ଏଥିସହ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ଆଗକୁ ପଦକ୍ଷେପ ନେବାକୁ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନେଇଥିବା ନେଇ ଭାରପ୍ରାପ୍ତ କୁଳପତି କହିଛନ୍ତି।