IPL 2026: ଆଇପିଏଲ୍ ୨୦୨୬ (IPL 2026) ର ରୋମାଞ୍ଚକର ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଲିଗ୍ ପର୍ଯ୍ୟାୟର ୬୭ତମ ମ୍ୟାଚ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ରେ ଏହି ହାଇଭୋଲ୍ଟେଜ୍ ମୁକାବିଲା ଖେଳାଯିବ।
ଉଭୟ ଦଳ ପୂର୍ବରୁ ପ୍ଲେ-ଅଫ୍ରେ ନିଜ ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ହେଲେ ଆଜିର ଲଢ଼େଇ କେବଳ ଜିତିବା ପାଇଁ ନୁହେଁ, ବରଂ ପଏଣ୍ଟ ଟେବୁଲର 'ଟପ୍-୨'ରେ ନିଜ ସ୍ଥାନ ପକ୍କା କରିବା ପାଇଁ। ଆଜିର ମ୍ୟାଚ୍ ପରେ ହିଁ ସ୍ପଷ୍ଟ ହେବ ଯେ କ୍ଵାଲିଫାୟର୍-୧ରେ କେଉଁ ଦୁଇଟି ଶକ୍ତିଶାଳୀ ଦଳ ମଧ୍ୟରେ ଟକ୍କର ହେବ।
୧. ଯଦି ଆଜି RCB ବିଜୟୀ ହୁଏ
ଯଦି ଆଜିର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବାଜି ମାରିନିଏ, ତେବେ ସେମାନଙ୍କର ମୋଟ ପଏଣ୍ଟ ୨୦ରେ ପହଞ୍ଚିବ। ଅପରପକ୍ଷରେ ହାଇଦ୍ରାବାଦ ୧୬ ପଏଣ୍ଟରେ ହିଁ ସୀମିତ ରହିବ। ଏଭଳି ସ୍ଥିତିରେ ୧୮ ପଏଣ୍ଟ ପାଇଥିବା ଗୁଜରାଟ ଟାଇଟନ୍ସ (GT) ସହିତ RCB ର କ୍ଵାଲିଫାୟର୍-୧ ମ୍ୟାଚ୍ ଅନୁଷ୍ଠିତ ହେବ।
୨. ଯଦି ଆଜି SRH ବିଜୟୀ ହୁଏ
ଯଦି ସନରାଇଜର୍ସ ହାଇଦ୍ରାବାଦ ଆଜି ଘରୋଇ ଗ୍ରାଉଣ୍ଡରେ ବେଙ୍ଗାଲୁରୁକୁ ହରାଏ, ତେବେ ଟେବୁଲର ଟପ୍-୩ ଦଳ (RCB, GT ଏବଂ SRH) ସମସ୍ତଙ୍କର ସମାନ ୧୮ ପଏଣ୍ଟ ଲେଖାଏଁ ହୋଇଯିବ। ଏହି ପରିସ୍ଥିତିରେ ନେଟ୍ ରନ୍ ରେଟ୍ (NRR) ହିଁ କ୍ଵାଲିଫାୟର୍-୧ ର ଦୁଇଟି ଦଳ ଚୟନ କରିବ।
ହାଇଦ୍ରାବାଦ ପାଇଁ ବଡ଼ ଚ୍ୟାଲେଞ୍ଜ
ବର୍ତ୍ତମାନ ହାଇଦ୍ରାବାଦର ନେଟ୍ ରନ୍ ରେଟ୍ (+୦.୩୫୦) ଅନ୍ୟ ଦୁଇ ଦଳ ତୁଳନାରେ ଯଥେଷ୍ଟ କମ୍ ରହିଛି। ତେଣୁ ଟପ୍-୨ରେ ସ୍ଥାନ ପାଇବାକୁ ହେଲେ SRH କୁ କେବଳ ମ୍ୟାଚ୍ ଜିତିଲେ ଚଳିବ ନାହିଁ, ବରଂ ରନ୍ ରେଟ୍ରେ ବଡ଼ ସୁଧାର ଆଣିବା ପାଇଁ ବେଙ୍ଗାଲୁରୁ ବିପକ୍ଷରେ ଏକ ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ।