ଗୁଆହାଟୀ, ଜୁନ୍ ୨୩ (ଖବର ଓଡ଼ିଶା): ମହାରାଷ୍ଟ୍ରରୁ ଆସିଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ଆସାମର ଗୁଆହାଟୀସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲରେ ରହୁଛନ୍ତି । ବିଧାୟକମାନଙ୍କୁ ଗତକାଲି ଠାରୁ ଯେଉଁ ହୋଟେଲରେ ରଖାଯାଇଛି, ଏହାର ବାହାରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ସହ ହୋଟେଲ ‘ରେଡିସନ ବ୍ଲ’କୁ ରଖାଯାଇଛି । ଏହି ହୋଟେଲରେ ଏବେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଗୁଆହାଟୀ ପୋଲିସ ଏହି ହୋଟେଲର ସୁରକ୍ଷା ଦାୟିତ୍ୱ ନେଇଛି ।
ପୋଲିସ କର୍ମୀଙ୍କ ବ୍ୟତୀତ ଆସାମ ପୋଲିସର ରିଜର୍ଭ ବାଟାଲିଅନ ଓ କମାଣ୍ଡେ ଶାଖାକୁ ହୋଟେଲ ବାହାରେ ମୁତୟନ କରାଯାଇଛି । ଏହି ହୋଟେଲ ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ ୧୫ କିମି ଦୂରରେ ରହିଛି । ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରଙ୍କ ନେତୃତ୍ୱ କରୁଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ମଙ୍ଗଳବାର ସୁରତ ଯାଇଥିଲେ । ସେଠାରୁ ସେମାନେ ଚାଟାର୍ଡ ବିମାନରେ ଗୁଆହାଟୀରେ ପହଞ୍ଚି ଥିଲେ । ପ୍ରାୟ ୪୦ ଜଣ ବିଦ୍ରୋହୀ ବିଧାୟକଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦର ଠାରୁ ହୋଟେଲକୁ ନିଆଯାଇଥିଲା ।