ନୂଆଦିଲ୍ଲୀ: ସୋମନାଥ ମନ୍ଦିର ଜ୍ୟୋତିର୍ଲିଙ୍ଗ ଉପରେ ହମଲାର ୧୦୦୦ ବର୍ଷ ପୂର୍ତ୍ତି ହୋଇଛି । ଉଲ୍ଲେଖନୀୟ ୧୦୨୬ରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ହମଲା ହୋଇଥିଲା । ଏହା ପରେ ଅନେକ ଥର ସୋମନାଥ ମନ୍ଦିରର ଲୁଣ୍ଠନ ହୋଇଥିଲା। ଏତେ ସବୁ ପରେ ମଧ୍ୟ ଆଜି ଦୃଢ ଭାବେ ଛିଡା ହୋଇ ରହିଛି ସୋମନାଥ ମନ୍ଦିର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୧ରେ ଗୁଜରାଟ ସ୍ଥିତ ଏହି ସୋମନାଥ ମନ୍ଦିର ଯିବେ । ପିଏମ ଏଠାରେ ସୋମନାଥ ମନ୍ଦିର ସ୍ୱାଭିମାନ ପର୍ବରେ ସାମିଲ୍ ହେବେ । ଏହା ପୂର୍ବରୁ ବିଜେପି ସୋମନାଥ ମନ୍ଦିରକୁ ନେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଟାର୍ଗେଟ୍ କରିଛି । ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଏହାକୁ ନେଇ ଅନେକ ବଡ ଦାବି ମଧ୍ୟ କରିଛନ୍ତି ।
ବିଜେପି ନେତା ସୁଧାଂଶୁ ତ୍ରିବେଦୀ ଏକ୍ସ ପୋଷ୍ଟରେ କହିଛନ୍ତି, ଅତୀତରେ ସୋମନାଥକୁ ମହମ୍ମଦ ଗଜନୀ ଓ ଆଲାଉଦ୍ଦୀନ ଖିଲଜୀ ଲୁଟିଥିଲେ । ମାତ୍ର ସ୍ୱାଧୀନ ଭାରତରେ ଭଗବାନ ସୋମନାଥଙ୍କ ପ୍ରତି ସବୁଠୁ ଅଧିକ ଘୃଣା ପଣ୍ଡିତ ନେହେରୁଙ୍କ ଥିଲା । ଏହାର ସବୁଠୁ ବଡ ଉଦାହରଣ ପଣ୍ଡିତ ନେହେରୁ ୧୯୫୧ ଏପ୍ରିଲ ୨୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିୟାକତ ଅଲ୍ଲୀ ଖାନଙ୍କୁ ପ୍ରିୟ ନବାବଜାଦା ସମ୍ବୋଧିତ କରି ଚିଠି ଲେଖିଥିଲେ । ଏଥିରେ ନେହେରୁ ସୋମନାଥ ମନ୍ଦିରର ଦ୍ୱାରର କାହାଣୀକୁ ମିଥ୍ୟା ବୋଲି କହିଥିଲେ । ପଣ୍ଡିତ ନେହେରୁ ଲିୟାକତ ଅଲ୍ଲୀ ଖାନଙ୍କ ଆଗରେ ଗୋଟିଏ ପ୍ରକାର ଆତ୍ମସମର୍ପଣ କରି ଲେଖିଥିଲେ, ସୋମନାଥ ମନ୍ଦିରର ନିର୍ମାଣ ପରି କିଛି ହେଉ ନାହିଁ ।
କାହଁକି ପଣ୍ଡିତ ନେହେରୁ ଲିୟାକତ ଅଲ୍ଲୀ ଖାନଙ୍କୁ ଏମିତି ଡରୁଥିଲେ ଯେ, ତାଙ୍କୁ ସୋମନାଥ ମନ୍ଦିର ବିଷୟରେ ଚିଠି ଲେଖୁଥିଲେ । ପାକିସ୍ତାନର ଅପପ୍ରଚାରର ସାମ୍ନା କରିବା ଏବଂ ଭାରତର ସଭ୍ୟତାକୁ ବଞ୍ଚାଇବା ପରିବର୍ତ୍ତେ ପଣ୍ଡିତ ନେହେରୁ ହିନ୍ଦୁ ଐତିହାସିକ ପ୍ରତୀକକୁ ନ୍ୟୁନ ମନେ କରି ପାକିସ୍ତାନକୁ ଖୁସି କରିବାକୁ ଚାହୁଁଥିଲେ । ସେ ଆନ୍ତରିକ ଆତ୍ମ ବିଶ୍ୱାସ ପରିବର୍ତ୍ତେ ବାହ୍ୟ ତୃଷ୍ଟୀକରଣକୁ ପ୍ରାଥମିକତା ଦେଇଥିଲେ । ଏହା ଅନ୍ଧ ତୃଷ୍ଟୀକରଣର ରାଜନୀତି ନୁହେଁ ତ ଆଉ କଣ ବୋଲି ସୁଧାଂଶୁ ତ୍ରିବେଦୀ ପ୍ରଶ୍ନ କରିଛନ୍ତି ।
ସୁଧାଂଶୁ ତ୍ରିବେଦୀ କହିଛନ୍ତି, ପଣ୍ଡିତ ଜବାହରଲାଲ ନେହେରୁ ସୋମନାଥ ମନ୍ଦିରର ପୁନଃନିର୍ମାଣ ଚାହୁଁ ନଥିଲେ। ଏହା ସମସ୍ତେ ଜାଣନ୍ତି ଯେ ପଣ୍ଡିତ ନେହେରୁ କେବଳ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ନୁହେଁ ବରଂ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ମଧ୍ୟ ଚିଠି ଲେଖି ସୋମନାଥ ମନ୍ଦିରର ପୁନଃନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ଉଦଘାଟନ ଉତ୍ସବରେ ଯୋଗଦେବାରୁ ନିଷେଧ କରିଥିଲେ।