ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଏକ କୋଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ୨୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶତାଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ଯାଇଛି । ଅଗ୍ନିକାଣ୍ଡ ଅତି ଭୟଙ୍କର ଥିଲା । କୋଠାରେ ଫସିଥିବା ଲୋକେ ତିନି ମହଲା ଉପରୁ ଡେଇଁପଡ଼ି ଜୀବନ ବଞ୍ଚାଇଥିଲେ ବୋଲି ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି । କୋଠାରେ ପାଖାପାଖି ୩୦୦ ଲୋକ ଥିଲେ । ଏହି ଅଗ୍ନିକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି ।
କୁହାଯାଉଛି ଯେ, ଏହି କୋଟାରେ ଏକ କାରଖାନା ପରିଚାଳିତ ହେଉଥିଲା । ଏହି କାରଖାନାରେ କାମ କରୁଥିବା ଲୋକେ କୋଠାରେ ଫସିଯାଇଥିଲେ । ଏନଡିଆରଫ ଓ ଦମକଳ ବାହିନୀର ଶତାଧିକ କର୍ମଚାରୀମାନେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।
ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଗାଁ ଲୋକେ ଏକତ୍ର ହୋଇଥିଲେ । ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଏଥି ସହିତ ସେମାନେ ପୋଲିସ ଓ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାରେ ଅଗ୍ନିକାଣ୍ଡ ହୋଇଥିଲା । ଆହତମାନଙ୍କୁ ସଂଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି । ପୋଲିସ କାରଖାନାର ୨ ଜଣ ମାଲିକଙ୍କୁ ଗିରଫ କରିଛି ।