କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ଘଟିଥିବା ଅଘଟଣର ଦୁଃଖଦ ଅନ୍ତ ଘଟିଛି। ଚାରି ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଶେଷରେ ଜଳପ୍ରପାତ ନିକଟସ୍ଥ ମୁଷଳ ନଦୀରୁ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସାରଙ୍ଗ ଅଞ୍ଚଳର ଗୁଲସନ ସାମଲ। ସୂଚନା ଅନୁଯାୟୀ, ଗତ ବୁଧବାର ସେ କିଛି ସାଙ୍ଗଙ୍କ ସହ ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ଭୋଜି କରିବା ପାଇଁ ଆସିଥିଲେ। ଭୋଜି ସରିବା ପରେ ସେ ଜଳପ୍ରପାତର ଏକ ବିପଦପୂର୍ଣ୍ଣ ସ୍ଥାନକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ।
ଘଟଣା ପରେ ସାଙ୍ଗମାନେ, ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ରବିବାର ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟସ୍ଥ ମୁଷଳ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ବର୍ଷା ଋତୁରେ ଜଳପ୍ରପାତ ଓ ନଦୀରେ ପାଣିର ସ୍ରୋତ ବଢ଼ିଯାଉଥିବାରୁ ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ଏବଂ ସମସ୍ତ ସୁରକ୍ଷା ନିୟମ ମାନିବାକୁ ପ୍ରଶାସନ ପରାମର୍ଶ ଦେଇଛି।