ରାୟଗଡ଼ା, ଫେବୃଆରୀ 23 (ଖବର ଓଡ଼ିଶା):
ଦିନକୁ ଦିନ ମାଓବାଦୀଙ୍କ ଆତଙ୍କ ବଢୁଥିବା ବେଳେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ମାଓ ବ୍ୟାନର । ଏଥିରେ ଇନଫର୍ମର ସାଜି ପୋଲିସକୁ ଖବର ଦେଉଥିବା ଲୋକଙ୍କୁ ଚେତାବନୀ ଦେଇଛି ଲାଲବାହିନୀ ।
ବ୍ୟାନରକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ବ୍ୟାନରରେ ଉଲ୍ଲେଖ ରହିଛି ଚନ୍ଦ୍ରପୁର, ହନୁମନ୍ତପୁର ଓ ଜାର୍ପାର କିଛି ଲୋକ ପୋଲିସ ଇନଫର୍ମର ସାଜି ପୋଲିସକୁ ଖବର ଦେଉଛନ୍ତି ।
ଆସନ୍ତା ୨୫ତାରିଖ ସୁଦ୍ଧା ସେମାନଙ୍କ ସଂଗଠନ ଆଗରେ ଆତ୍ମସମର୍ପଣ (ସରେଣ୍ଡର) କରିବାକୁ ଆହ୍ୱାନ ଦିଆଯାଇଛି । ନଚେତ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି ଧମକ ଦିଆଯାଇଛି । ସିଆରପିଏଫ୍ ଯବାନମାନେ ପହଞ୍ଚି ବ୍ୟାନରକୁ ସେଠାରୁ ନେଇ ଯାଇଥିବା ସୂଚନା ମିଳିଛି ।