ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାରା ଦୁନିଆରେ ଚିତ୍କାର କରି ଡିଣ୍ଡିମ ପିଟୁଥିଲେ ଯେ, ଆମେରିକାର ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇ ପାରିଛି। ଏଥିପାଇଁ ସେ ବାଣିଜ୍ୟକୁ ଅସ୍ତ୍ର କରିଥିଲେ ବୋଲି କହି ଆସିଥିଲେ। ହେଲେ ଭାରତ ବାରମ୍ବାର ଟ୍ରମ୍ପଙ୍କ ଏହି ଦାବିକୁ ଖାରଜ କରି ଆସିଥିଲା। ଏବେ ଖୋଦ୍ ପାକିସ୍ତାନ ମଧ୍ୟ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିର ପର୍ଦ୍ଦାଫାଶ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର କହିଛନ୍ତି ଯେ ଆମେରିକା ଅସ୍ତ୍ରବିରତିର ପ୍ରସ୍ତାବ ଆଣିଥିଲା, କିନ୍ତୁ ଭାରତ ଏଥିରେ ରାଜି ହୋଇନଥିଲା।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଇସାକ ଡାର ଅପରେସନ ସିନ୍ଦୂର ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ତାଙ୍କର ଆଲୋଚନା ବିଷୟରେ ପ୍ରକାଶ କରିଛନ୍ତି। ଇସାକ ଡାରଙ୍କ ଅନୁଯାୟୀ, ମାର୍କୋ ରୁବିଓ ତାଙ୍କୁ କହିଥିଲେ ଯେ ଭାରତ ଅସ୍ତ୍ରବିରତି ପାଇଁ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ଗ୍ରହଣ କରିବ ନାହିଁ କାରଣ ଏହା ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ।
ଅଲ ଜଜିରାକୁ ଏକ ସାକ୍ଷାତକାରରେ ଇସାକ ଡାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ ଆଲୋଚନା ପାଇଁ ଅନେକ ଥର ଉଦ୍ୟମ କରିଛି। ଇସାକ ଡାରଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ତୃତୀୟ ପକ୍ଷର ସମ୍ପୃକ୍ତି ପାଇଁ ପ୍ରସ୍ତୁତ କି ? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ତୃତୀୟ ପକ୍ଷ ମଧ୍ୟସ୍ଥତାରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଭାରତ ସ୍ପଷ୍ଟ ଭାବରେ କହି ଆସୁଛି ଯେ ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯେତେବେଳେ ଆମେ ଜୁଲାଇ ୨୫ରେ ୱାଶିଂଟନରେ ମାର୍କୋ ରୁବିଓଙ୍କୁ ପଚାରିଥିଲୁ ଯେ ଆଲୋଚନାର କଣ ହୋଇଛି, ସେ କହିଥିଲେ ଯେ ଭାରତ ଏହାକୁ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ବିବେଚନା କରୁଛି।"
ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଇସଲାମାବାଦ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଆଲୋଚନା ପାଇଁ ଭିକ୍ଷା ମାଗିବ ନାହିଁ। ସେ କହିଛନ୍ତି, "ଯଦି କୌଣସି ଦେଶ ଆଲୋଚନା ଚାହୁଁଛି, ତେବେ ଆମେ ଖୁସି ହେବୁ, କିନ୍ତୁ ଆମେ କିଛି ଭିକ୍ଷା କରୁନାହୁଁ। ଆମେ ଏକ ଶାନ୍ତିପ୍ରିୟ ଦେଶ। ଆମେ ବିଶ୍ୱାସ କରୁ ଯେ ଆଲୋଚନା ହେଉଛି ଆଗକୁ ବଢ଼ିବାର ରାସ୍ତା। ସ୍ପଷ୍ଟ ଭାବରେ, ଆଲୋଚନା ପାଇଁ ଦୁଇଜଣ ବ୍ୟକ୍ତିଙ୍କ ଆବଶ୍ୟକତା ଅଛି। ଆମେ ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବୁ ନାହିଁ।"
ଇସାକ ଦାରଙ୍କ ବୟାନକୁ ସ୍ପଷ୍ଟ ହୋଇ ଯାଇଛି ଯେ ଭାରତ କେବେ ବି ଅପରେସନ ସିନ୍ଦୂର ସମୟରେ ତୃତୀୟ ପକ୍ଷ ମଧ୍ୟସ୍ଥତା ଗ୍ରହଣ କରିନାହିଁ। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତି ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିଲା।
Also read: ଫୋନ କରି ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ ବି କଲେ ଆଲୋଚନା !