ନିଜର କର୍ମମୟ ଜୀବନ ପାଇଁ ଆପଣେଇଥିବା ମଞ୍ଚରେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ । ନୃତ୍ୟ ଗୁରୁ ଜଣକ ନାଚୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ନୃତ୍ୟ ଗୁରୁ ଜଣକ ହେଉଛନ୍ତି ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନା ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଷଠୀପୁରର ଯାଜ୍ଞସେନି ଅପେରାର ମଞ୍ଚରେ ଡ୍ୟାନ୍ସ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ଗୀତର ତାଳେ ତାଳେ କଳାକାରମାନଙ୍କୁ ନାଚ ଶିଖାଉଥିଲେ ଗୁରୁ ମାୟାଧର ଜେନା । ଏହି ସମୟରେ ହଠାତ ସେ ତଳେ ପଡିଗଲେ । ସେଠାରେ ଉପସ୍ଥିତ ଥିବା କଳାକାର କିଛି ବୁଝି ପାରିନଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାର ସମେତ କଳାକାରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଯେଉଁ ମଞ୍ଚରେ ନୃତ୍ୟ ମାଧ୍ୟମରେ ଦର୍ଶକମନକୁ ମନୋରଂଞ୍ଜନ କରୁଥିଲେ ଆଜି ସେହି ମଞ୍ଚରେ ତାହାର ଜୀବନ ଚାଲିଯାଇଛି । ସେ ଜଣେ ନୃତ୍ୟ ଗୁରୁ , ଆଉ ନୃତ୍ୟ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରିବାରରେ ଦୁଃଖର ପାହାଡ଼ ଲଦି ଦେଇଛି ।