ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):
ଧୀରେ ଧୀରେ ଦୁର୍ବଳ ହେବାଲେ ଲାଗିଛି ବାତ୍ୟା ଜୱାଦ । ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଏନେଇ ୨ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୨ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଯାଜପୁର, ଗଜପତି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ କନ୍ଧମାଳ, ରାୟଗଡା, କେନ୍ଦୁଝର, ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଦିଗ ପରିବର୍ତ୍ତନ କରୁଥିବାରୁ ବାତ୍ୟା ଦୁର୍ବଳ ହେଉଛି । ଏବେ ବାତ୍ୟା ଉତ୍ତର ଦିଗରେ ଗତି କରୁଛି ।
ସେପଟେ ପାରାଦୀପରେ ୮୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୩.୫ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆଜି ରାତି ୧୧.୩୦ଟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବାର ସମ୍ଭାବନା ରହିଛି । ପୁରୀ ନିକଟରେ ବାତ୍ୟା ପହଞ୍ଚିଲା ବେଳକୁ ଗଭୀର ଅବପାତରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।