ଜାଡ଼ରେ ଥରୁଛି ପୁରା ଓଡ଼ିଶା। ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ରାଜ୍ୟରେ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି। ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଛି ପାରଦ। ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ଆଜି ସକାଳ ୬ଟା ସମୟରେ ଶିମିଳିପାଳ ଉପର ବାରାକାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଶିମିଳିପାଳରେ ତୁଷାରପାତ ମଧ୍ୟ ହୋଇଛି। ଘନ କୁହୁଡ଼ି ଯୋଗୁ ଦିନ ୧୦ଟା ଯାଏ କିଛି ଦେଖାଯାଉନି। ଶିମିଳିପାଳ ସହ କରଞ୍ଜିଆ, ଶୁକୃଳି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। ଉପର ବାର୍ହାକାମୁଡା ଓ ଦେବସ୍ଥଳୀ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ହେଉଛି। ଏଥିସହ ଘନକୁହୁଡିର ଧଳା ଚାଦର ତଳେ ଶିମିଳିପାଳ ଅଭ୍ୟାୟରଣ୍ୟ ଘୋଡେଇ ହୋଇଛି।
ସେହିପରି ସାରା ଏବେ ଜାଡ଼ରେ ଥରୁଥିବା ବେଳେ ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ରାତି ତାପମାତ୍ରା। ଆଜି ଭୋରରେ ଏଠାକାର ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରିରେ ପହଞ୍ଚିଛି। ୧୯୫୩ରୁ ଏପର୍ଯ୍ୟନ୍ତ ଝାରସୁଗୁଡା ଇତିହାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ତୁଷାରପାତ ଦେଖିବାକୁ ମିଳିଛି। ଗତକାଲି ରାତିରେ ପାରଦ ୫ ଡିଗ୍ରୀ ତଳେ ରହିଛି। ପ୍ରବଳ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ।
ସେହିପରି ରାଜଧନୀ ଭୁବନେଶ୍ବରରେ ବି ତାପମାତ୍ରା ସ୍ବାଭାବିକଠାରୁ ୪.୮ ଡିଗ୍ରି ଅର୍ଥାତ୍ ୨୩.୮ ଡିଗ୍ରି ରହିଥିଲା। ଅନୁରୂପ ଭାବେ ଗୋପାଳପୁରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫.୩ ଡିଗ୍ରି କମ୍ ଅର୍ଥାତ୍ ୨୨.୧ ଡିଗ୍ରି ରେକର୍ଡ ହୋଇଛି। ୯ଟି ପ୍ରମୁଖ ସହରର ଦିନର ତାପମାତ୍ରା ୨୪ ଡିଗ୍ରିରୁ କମ୍ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତାପମାତ୍ରା ହ୍ରାସ ସହିତ, ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରିଛି। ସକାଳୁ ସକାଳୁ ଦୃଶ୍ୟମାନତା ହ୍ରାସ ପାଇବା ଫଳରେ ରାସ୍ତା ଏବଂ ରେଳ ଯାତ୍ରା ପ୍ରଭାବିତ ହୋଇପାରେ, ତେଣୁ ଗାଡି ଚାଳକ ଓ ଲୋକମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ: ଦିଲ୍ଲୀ ବିମାନବନ୍ଦରକୁ ପ୍ରଭାବିତ କଲା କୁହୁଡ଼ି: ୬ଟି ବିମାନ ଉଡ଼ାଣ ବାତିଲ୍; ୧୫୦ଟି ବିଳମ୍ବ