ସୋନପୁର : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ । ମୃତକ ଜଣକ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡ଼ା ଗ୍ରାମର ମନୋଜ ନନ୍ଦ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ମନୋଜ ଓ ତାଙ୍କର ଜଣେ ସଂପର୍କୀୟ ଏକ ବାଇକରେ ବଲାଙ୍ଗିର ଆସିଥିଲେ । ଫେରିବା ବାଟରେ ବିଲେଇସର୍ଡ଼ା ନିକଟରେ ଏକ ଅଜଣା ଭାରିଯାନ ତାଙ୍କର ସମ୍ମୁଖକୁ ଆସିଥିଲା । ଭାରିଯାନର ତୀବ୍ର ଆଲୋକରେ ସେମାନଙ୍କୁ ଆଗକୁ କିଛି ଦେଖାଯାଇନଥିଲା । ଫଳରେ ବାଇକଟି ଗାଡ଼ିରେ ପିଟି ହୋଇଥିଲା । ଘଟଣାସ୍ଥଳରେ ମନୋଜ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇ ଅଜଣା ଗାଡ଼ିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂପୃକ୍ତ ଡ୍ରାଇଭର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।