ଭୁବନେଶ୍ୱର: ଓଡ଼ିଶା ମାଟି ତଳେ ଲୁଚି ରହିଛି ଅମୂଲ୍ୟ ଖଣିଜ ସମ୍ପଦ। ଲୁହାପଥର, କ୍ରୋମାଇଟ୍ ଓ ବକ୍ସାଇଟ୍ ପରେ ଏବେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ଭଣ୍ଡାରକୁ ନେଇ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ରାଜ୍ୟର ୫ଟି ଜିଲ୍ଲାରେ ସୁନା, ରୁପା ଓ ମାଣିକ୍ୟର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ସୁନାର ସନ୍ଧାନ ମିଳିଛି। ସେହିପରି ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ରୁପା ଏବଂ କଳାହାଣ୍ଡି ଜିଲ୍ଲାରେ ମାଣିକ୍ୟ ଖଣିଜ ଥିବା ଚିହ୍ନଟ ହୋଇଛି।
ପୂର୍ବରୁ ମଧ୍ୟ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ରାଜ୍ୟର ଖଣିଜ ସଂସ୍ଥା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିଲା। ଦେବଗଡ଼ର ଆଡ଼ାସ-ରାମପଲ୍ଲୀ, କେନ୍ଦୁଝରର ଗୋପୁର-ଜଳଡିହି ଏବଂ ମୟୂରଭଞ୍ଜର ମଦନସାହି-କଞ୍ଜିଆ ଅଞ୍ଚଳରେ ସୁନା ଭଣ୍ଡାର ଥିବା ନେଇ ପୂର୍ବରୁ ରିପୋର୍ଟ ଆସିଥିଲା। ମୟୂରଭଞ୍ଜରେ ତମ୍ବା ସହ ୧୪୬୦ କିଲୋଗ୍ରାମରୁ ଅଧିକ ସୁନା ଥିବା ନେଇ ମଧ୍ୟ ଏକ ପୂର୍ବ ଆକଳନରେ ଉଲ୍ଲେଖ ରହିଥିଲା।
ସେହିପରି ଦେବଗଡ଼ର ଆଡ଼ାସ ଅଞ୍ଚଳରେ ସୁନା, ରୁପା ଓ ନିକେଲ୍ ଭଳି ଖଣିଜ ସମ୍ପଦର ସନ୍ଧାନ ମିଳିଥିବା ବେଳେ କଳାହାଣ୍ଡିର ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଅଞ୍ଚଳରେ ମାଣିକ୍ୟର ସନ୍ଧାନ ମିଳିଛି।
ତେବେ ଖଣିଜ ସମ୍ପଦ ଚିହ୍ନଟ ହେବା ପରେ ତାହାର ବାଣିଜ୍ୟିକ ଉତ୍ତୋଳନ ପାଇଁ ବୈଷୟିକ ଯାଞ୍ଚ, ଆର୍ଥିକ ମୂଲ୍ୟାଙ୍କନ ଏବଂ ସମ୍ଭାବ୍ୟତା ଅଧ୍ୟୟନ ଆବଶ୍ୟକ। ଏହି ପ୍ରକ୍ରିୟା ସଫଳ ହେଲେ ରାଜ୍ୟର ରାଜସ୍ୱ ବୃଦ୍ଧି ସହ ନୂଆ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୃଷ୍ଟିର ବାଟ ଫିଟିପାରେ।