ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ନିଜର ମ୍ୟାଚ୍ ଭାରତରୁ ବାହାରକୁ ସ୍ଥାନାନ୍ତର କରିବାକୁ ନିଜ ଜିଦରେ ଅଟଳ ବାଂଲାଦେଶ କ୍ରିକେଟ୍ ବୋର୍ଡ । ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ହଟାଯିବା ପରେ ବାଂଲାଦେଶ ସରକାର ନିଜ ଦେଶରେ ଆଇପିଏଲର ପ୍ରସାରଣ ଉପରେ ରୋକ୍ ଲଗାଇ ସାରିଛନ୍ତି । ଏହା ପରେ ଆଉ ଏକ ପଦକ୍ଷେପ ସ୍ୱରୂପ ବାଂଲାଦେଶ କ୍ରିକେଟ୍ ବୋର୍ଡ ବାଂଲାଦେଶ ପ୍ରିମିୟର ଲିଗ୍(ବିପିଏଲ)ର ପ୍ରେଜେଣ୍ଟେସନ ପ୍ୟାନେଲରୁ ଭାରତୀୟଙ୍କୁ ବାହାର କରି ଦେଇଛି । ଏହି ପ୍ୟାନେଲରେ ଭାରତର ରିଦ୍ଧିକା ଥିଲେ ।
ଋିଦ୍ଧିକା ଚଳିତ ବର୍ଷ ବିପିଏଲରେ ଉପସ୍ଥାପକ ପ୍ୟାନେଲରେ ଥିଲେ । ମାତ୍ର ତାଙ୍କୁ ବାଂଲାଦେଶ ପହଞ୍ଚିବା ପୂର୍ବରୁ ପ୍ରେଜେଣ୍ଟେସନ ଟିମରୁ ହଟାଇ ଦିଆଯାଇଛି । ବିପିଏଲର ଚଳିତ ସିଜିନ ସିଲହଟରେ ଆରମ୍ଭ ହୋଇ ସାରିଛି । ପ୍ରେଜେଣ୍ଟର ପ୍ୟାନେଲରେ ପାକିସ୍ତାନୀ ଜୈନବ ଅବ୍ୱାସଙ୍କୁ ସ୍ଥାନ ମିଳିଛି ଏବଂ ସେ ବାଂଲାଦେଶ ପହଞ୍ଚି ସାରିଛନ୍ତି । ଏହା ବ୍ୟତୀତ କମେଣ୍ଟ୍ରି ପ୍ୟାନେଲରେ ପାକିସ୍ତାନୀ ଭାଷ୍ୟକାର ଅଛନ୍ତି । ଏଥିରେ ୱାକର ୟୁନୁସ ଓ ରମିଜ ରାଜା ସାମିଲ୍ ।
ଏହା ପୂର୍ବରୁ ଜାନୁଆରୀ ୫ରେ ବାଂଲାଦେଶ ସରକାର ନିଜ ଦେଶରେ ଆଇପିଏଲ ୨୦୨୬ର ପ୍ରସାରଣ ଉପରେ ରୋକ୍ ଲଗାଇ ସାରିଛି । ବିସିସିଆଇର ନିର୍ଦ୍ଦେଶ ପରେ କେକେଆର ମୁସ୍ତାଫିଜୁର ରେହମାନଙ୍କୁ ନିଜ ଦଳରୁ ରିଲିଜ୍ କରାଯିବା ପରେ ବାଂଲାଦେଶ ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଭାରତରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଜନ ଭାବନାକୁ ଦୃଷ୍ଟିରେ ରଖି ବିସିିସିଆଇ ବାଂଲାଦେଶ ଖେଳାଳି ମୁସ୍ତାଫିଜୁରଙ୍କୁ ରିଲିଜ୍ କରିବାକୁ କେକେଆରକୁ ନିର୍ଦ୍ଦେଶ ଦେଇଥିଲା ।
Also read: ଟି-୨୦ ବିଶ୍ୱକପ୍ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଦଳର ନେତୃତ୍ୱ ନେବେ ମିଚେଲ ସାଣ୍ଟନର