ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ଚାଲିଥିବା ପୁନଃବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସମୀକ୍ଷା ବେଳେ ମନ୍ତ୍ରୀ ପ୍ରକଳ୍ପର ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସହ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଝଲକ ରେଳ ଷ୍ଟେସନରେ ପ୍ରତିଫଳିତ ହେବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ।
ପୁନଃବିକାଶ ପ୍ରକଳ୍ପ ଅନୁଯାୟୀ ଷ୍ଟେସନରେ ପ୍ଲାଟଫର୍ମର ସମ୍ପ୍ରସାରଣ, ଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା, ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ। ବର୍ଷା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ଅନୁଯାୟୀ ଆଗକୁ ବଢ଼ୁଥିବା ନେଇ ଅଧିକାରୀମାନେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
ପ୍ରତିବର୍ଷ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସୁଥିବାରୁ ସେମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଏହି ପୁନଃବିକାଶ କାର୍ଯ୍ୟ ଶେଷ ହେଲେ ପୁରୀ ରେଳ ଷ୍ଟେସନ କେବଳ ତୀର୍ଥଯାତ୍ରୀଙ୍କ ପ୍ରବେଶ ଦ୍ୱାର ନୁହେଁ, ବରଂ ଆଧୁନିକ ରେଳ ଭିତ୍ତିଭୂମିର ଏକ ଆଦର୍ଶ କେନ୍ଦ୍ର ଭାବେ ପରିଚିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଦେଶବ୍ୟାପୀ ରେଳ ଆଧୁନିକୀକରଣ ଅଭିଯାନରେ ପୁରୀ ରେଳ ଷ୍ଟେସନର ଏହି ପୁନଃବିକାଶ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।