ଯାଜପୁର: ଅଶାନ୍ତ ହୋଇପଡ଼ିଛି ଯାଜପୁର । ଗତକାଲି ବିଧାୟକଙ୍କୁ ଆକ୍ରମଣ ପରେ ଆଜି ବିରଜା ହାଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିରଜା ହାଟକୁ ପୁନଃଅବସ୍ଥାନକୁ ନେଇ ସପକ୍ଷ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସାମୟିକଭାବେ ହାଟକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ସୂଚନା ଦେଇଛନ୍ତି ।
ବିରଜା ହାଟ ସ୍ଥାନାନ୍ତରଣ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ହାଟକୁ ପୁରୁଣା ସ୍ଥାନରେ ରଖିବାକୁ ଦାବି କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ନୂଆ ସ୍ଥାନରେ ହାଟ କରିବାକୁ ସମର୍ଥନ କରୁଛି । ଫଳରେ ସକାଳୁ ସକାଳୁ ଉକ୍ତ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଲୋକ ରାସ୍ତା ରୋକ ମଧ୍ୟ କରିଛନ୍ତି ।
ଖବର ପାଇ ପୁଲିସ ଏବଂ ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିବାଦକୁ ଦେଖି ଉପଜିଲ୍ଲାପାଳ ହାଟକୁ ସାମୟିକଭାବେ ସ୍ଥଗିତ ରଖିଛନ୍ତି । ଯଦି ଆବଶ୍ୟକ ପଡ଼େ ତେବେ ଧାରା ୧୬୩ ଲାଗୁ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ଏହା ସହିତ ହାଟରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।