ଦରକାର ପଡିଲେ ରକ୍ତମୁଖା ଲାଲବାହିନୀ ସହ ଲଢିବି- ସହିଦ ଯବାନ ପତ୍ନୀଙ୍କ କୋହଭରା ଦମ୍ଭୋକ୍ତି
Khabar Odisha:state-odisha-malkanagiri-jayaram-kawasi-champa-kawasi
ମାଲକାନାଗିରି, ଅଗଷ୍ଟ ୨୯ (ଖବର ଓଡିଶା) :

 କୁହନ୍ତି ନାରୀ ନାରାୟଣୀ, ସର୍ବସଂହା। ଯୁଗେ ଯୁଗେ ପାପର ବିନାଶ ପାଇଁ ନାରୀ ଅସ୍ତ୍ର ଉଠାଇଛି। ନିଜର ହକ୍, ସମ୍ମାନ ପାଇଁ ଲଢେଇ କରିଛି। ପୁରାଣ ପୃଷ୍ଠାକୁ ଲେଉଟାଇଲେ ଏଭଳି ବହୁ ଉଦାହରଣ ଦେଖିବାକୁ ମିଳିଵ। ତେବେ ଆଜି ଆମେ ଯାହା କଥା କହୁଛୁ ସେ ହେଉଛନ୍ତି ମାଲକାନାଗିରିର ଅମର ଯବାନ ଜୟରାମ କୱାସୀଙ୍କ ପତ୍ନୀ ବୀରାଙ୍ଗନା ଚମ୍ପା କୱାସୀ। ନିଜର ପତିଙ୍କ ଶେଷକୃତ୍ୟ ସମୟରେ ମଧ୍ୟ ତାଙ୍କ ମୁଖରୁ ବୀରତ୍ଵର ତେଜ ଟିକେ ବି କମି ନଥିଲା। ମନରେ ଅକୁହା କୋହକୁ ଚାପି ୨ ବର୍ଷର ଝିଅକୁ ଧରି ପତିଙ୍କ ଶେଷକୃତ୍ୟରେ ପହଁଚିଥିଲେ ଚମ୍ପା। 

ସହିଦ ଯବାନଙ୍କ ପତ୍ନୀଙ୍କ କୋହଭରା ଦମ୍ଭୋକ୍ତି

“ମୋ ସ୍ଵାମୀ ଆଜି ସହିଦ ହୋଇଗଲେ। ସେ ଘରର ମୁରବୀ ଥିଲେ। ଘରର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ତାଙ୍କ ପରେ ଏବେ ଘରର ସମସ୍ତ ଦାୟିତ୍ଵ ମୋ ଉପରେ। ୨ ବର୍ଷର ଝିଅକୁ ବଡ ମଣିଷ କରିବାର ଅଛି। ଏଥିପାଇଁ ସରକାର କିଛି ପ୍ରୋତ୍ସାହନ ରାଶି ଯୋଗେଇ ଦେଲେ ଭଲ ହୁଅନ୍ତା, ମୋ ପରିବାରର ମଙ୍ଗଳ ହୁଅନ୍ତା। ଯଦି ମୋ ସ୍ଵାମୀଙ୍କ ସ୍ଥାନରେ ମୋତେ ଚାକିରୀ ଦିଆଯିବ ତେବେ ସୁଦ୍ଧା ମୁଁ ଲଢିବାକୁ ପ୍ରସ୍ତୁତ ଅଛି”। ନିଜ ପତିଙ୍କ ଶେଷକୃତ୍ତ୍ୟ ସମୟରେ ଏଭଳି ଦୃଢୋକ୍ତିର ସହ କହିଛନ୍ତି ବୀର ଯବାନଙ୍କ ପତ୍ନୀ ବୀରାଙ୍ଗନା ଚମ୍ପା କୱାସୀ। ସ୍ଵାମୀଙ୍କ ଭଳି ଯବାନ ସାଜି ରକ୍ତମୁଖା ଲାଲବାହିନୀ ସହ ଲଢିବାକୁ ପଣ କରିଛନ୍ତି। 

ବୁଧବାର ସକାଳେ ମାଲକାନାଗିରି ଖଇରପୁଟ କଦମ୍ବଗୁଡା ଡାବୁଗୁଡା ଜଙ୍ଗଲରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇଛନ୍ତି ଓଏଫପିଏଫ୍ ଯବାନ ଜୟରାମ କୱାସୀ। ଆଜି ମାଲକାନାଗିରି ସୋରିଷମାଳ ଗାଁରେ ପଞ୍ଚଭୂତରେ ଲୀନ ହୋଇ ସାରିଛି ଜୟରାମଙ୍କ ପାର୍ଥୀବ ଶରୀର। ତାଙ୍କର ଅନ୍ତିମ ଯାତ୍ରା ସମୟରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ। ସହିଦ ଯବାନ ଅମର ରହେ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା। ପୁଅକୁ ହରାଇ ବାପା ମାଆଙ୍କ ଛାତି ଫାଟି ପଡିଥିବା ବେଳେ ସିନ୍ଦୁରକୁ ହରାଇ ପ୍ରତିଶୋଧର ବହ୍ନି ଜଳି ଉଠିଥିଲା ପତ୍ନୀ ଚମ୍ପାଙ୍କ ମନରେ। ତେବେ ଦୃଢତାର ସହ ପତିଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ଚମ୍ପା।  

୨୫ ଘଣ୍ଟାର ଘମାଘୋଟ ଲଢେଇ

ବୁଧବାର ସକାଳେ ମାଲକାନାଗିରି ଖଇରପୁଟ କଦମ୍ବଗୁଡା ଡାବୁଗୁଡା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଥିଲା ୨୫ ଘଣ୍ଟାର ଘମାଘୋଟ ଲଢେଇ ଚାଲିଥିଲା। ଏହି ଲଢେଇରେ ସାଥୀ ଯବାନଙ୍କୁ ରକ୍ଷା କରିବାକୁ ଯାଇ ଜୟରାମ ସହିଦ ହୋଇଥିଲେ । କିନ୍ତୁ ଛାତିରେ ଗୁଳି ଖାଇ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡିଙ୍କୁ ନିପାତ କରିଥିଲେ। ୨୦୧୦ରେ ଏସପିଓ ଭାବେ ଯୋଗ ଦେବା ପରେ ୨୦୧୪ରେ ଓଏଫପିଏଫରେ ନିଯୁକ୍ତି ପାଇଥିଲେ ଜୟରାମ। ପରେ ସ୍ଵତନ୍ତ୍ର ତାଲିମ ନେଇ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଦମନ କରିବା ପାଇଁ ସ୍ଵତଃସ୍ପୃତ ଭାବେ ଯୋଗ ଦେଇଥିଲେ। ଆଜି ସେହି ରକ୍ତମୁଖା ଲାଲବାହିନୀଙ୍କ ପାଇଁ ଲଢେଇ କରି ଚିରଦିନ ପାଇଁ ଅମର ହୋଇଗଲେ ଜୟରାମ। ପଳରେ ତାଙ୍କ ପରିବାରଙ୍କୁ ସରକାର ୧୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Subscribe

National International State Sports Entertainment