ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା) :
ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା। ମୁକେଶର ଦୟା ଯାଚିକା ଗୃହ ମନ୍ତ୍ରାଳୟ ଆଜି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି। ତେବେ ଗୃହ ମନ୍ତ୍ରାଳୟ ଏହି ଯାଚିକାକୁ ଖାରଜ କରି ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାୟମ ରଖିବା ପାଇଁ ସୁପାରିଶ ମଧ୍ୟ କରିଛନ୍ତି।
ଏହା ପୂର୍ବରୁ ଉପରାଜ୍ୟପାଳ ଦୟା ଯାଚିକା ଖାରଜ କରିବାକୁ ସୁପାରିଶ କରି ଗୃହ ମନ୍ତ୍ରାଳୟକୁ ଯାଚିକା ପଠାଇଥିଲେ। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଉପରାଜ୍ୟପାଳ ଯାଚିକା ଖାରଜ କରିବାକୁ ଗୃହ ମନ୍ତ୍ରାଳୟ ନିକଟରେ ସୁପାରିଶ କରିଥିଲେ।
ସୂଚନାଯୋଗ୍ୟ, ନିର୍ଭୟା ମାମଲାର ଅଭିଯୁକ୍ତ ମୁକେଶ ଫାଶୀଦଣ୍ଡ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଆବେଦନ କରିଛି। ମୁକେଶର ଯାଚିକା ଜେଲ ପ୍ରଶାସନ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇଥିଲେ। ଏହି ଯାଚିକା ଦିଲ୍ଲୀ ସରକାର ଖାରଜ କରିବା ପରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଏହାପରେ ଉପରାଜ୍ୟପାଳ ଖାରଜ କରି ଗୃହମନ୍ତ୍ରାଳୟକୁ ପଠାଇଥିଲେ। ଗତକାଲି ବିଳମ୍ବିତ ରାତ୍ରୀରେ ଗୃହ ମନ୍ତ୍ରାଳୟ ଦୟା ଯାଚିକା ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ଆଜି ପଠାଇଛି। ଯଦି ରାଷ୍ଟ୍ରପତି ଦୟା ଯାଚିକା ଖାରଜ କରନ୍ତି ତେବେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ସୁନିଶ୍ଚିତ।