ବିଲକିସ୍ ବାନୋ ମାମଲା : ୨ସପ୍ତାହ ମଧ୍ୟରେ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Khabar Odisha:national-odisha-gujarat-riots-2002-supreme-court-directed-gujarat-government-compensation-of-rs-50-lakh-to-bilkis-bano
ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ଖବର ଓଡିଶା) :

୨୦୦୨ରେ ହୋଇଥିବା ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶୀକାର ହୋଇଥିବା ବିକିସ୍ ବାନୋଙ୍କ ଅବମାନନା ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ପୀଡିତା ବିଲକିସ୍ ବାନୋଙ୍କୁ ଦୁଇ ସପ୍ତାହ ଭିତରେ ୫୦ ଲକ୍ଷ ଟରଙ୍କାର କ୍ଷତିପୂରଣ ଓ ସରକାରୀ ଚାକିରୀ ସହ ରହିବା ପାଇଁ ଆବାସ ଯୋଗେଇ ଦେବାକୁ ଏହି ଶୁଣାଣୀରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ଆଦେଶ ଦେଇଛନ୍ତି। 

୨୦୦୨ରେ ହୋଇଥିବା ଗୁଜୁରାଟ ଦଙ୍ଗା ସମୟରେ ଅହମଦାବାଦରେ ହିଂସକ ଭିଡ ୫ମାସ ଗର୍ଭବତୀ ଥିବା ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରି ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ବିଲକିସ୍ ବାନୋଙ୍କ ତରଫରୁ ଆବେଦନ କରାଯାଇଥିବା ଅବମାନନା ଯାଚିକାରେ କୁହାଯାଇଛି କି, କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ମଧ୍ୟ ଗୁଜୁରାଟ ସରକାର ଏଯାଏଁ ତାଙ୍କୁ କିଛି ଦେଇ ନାହାଁନ୍ତି। ତେଣୁ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ଆଦେଶକୁ ପାଳନ କରିବା ପାଇଁ ଗୁଜୁରାଟ ସରକାରଙ୍କୁ କହିଛନ୍ତି। 

ଅପ୍ରେଲ ୨୦୧୯ରେ ବିଲକିସ୍ ବାନୋଙ୍କ ମାମଲାରେ ଶୁଣାଣୀ ସମୟରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜିବ ଖନ୍ନାଙ୍କ ଖଣ୍ଡପୀଠକୁ ଗୁଜୁରାଟ ସରକାର କହିଥିଲେ କି, ଦୋଷୀ ସାବ୍ୟସ୍ତ ହୋଇଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କର ପେନସନ ରୋକି ଦିଆଯାଇଛି। ଏହା ସହ ଗୁଜୁରାଟ ସରକାର ପୀଡିତାଙ୍କୁ ୫ଲକ୍ଷ କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ପୀଡିତା ବିଲକିସ୍ ବାନୋ ଏହାକୁ ପ୍ରତ୍ୟାଖ୍ୟାନ କରି ଏଭଳି କ୍ଷତିପୂରଣ ଦାବୀ କରିଥିଲେ ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ।

୨୧ ବର୍ଷୀୟା ବିଲକିସଙ୍କୁ ଗଣବଳାତ୍କାର ସହ ୭ପରିବାର ସଦସ୍ୟଙ୍କୁ କରାଯାଇଥିଲା ହତ୍ୟା

ଗୋଧାରାକାଣ୍ଡ ପରେ ଗୁଜୁରାଟରେ ହୋଇଥିବା ଦଙ୍ଗା ସମୟରେ ଅହମଦାବାଦ ନିକଟବର୍ତ୍ତୀ ରଣଧୀକରପୁର ଗ୍ରାମରେ ଉଗ୍ର ଭିଡ ୨୦୦୨ ମାର୍ଚ୍ଚ ୩ରେ ବିଲକିସ୍ ବାନୋଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ୨୧ ବର୍ଷୀୟା ବାନୋଙ୍କ ସହ ଗଣବଳାତ୍କାର କରାଯାଇଥିଲା ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ୨୦୦୮ ଜାନୁୟାରୀ ୨୧ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା। ସେହି ସମୟରେ ପୁଲିସକର୍ମୀ, ଡାକ୍ତର ସମେତ ଅନ୍ୟ ୭ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ବମ୍ବେ ହାଇକୋର୍ଟ ୨୦୧୭ ମଇ ୪ରେ ୫ ପୁଲିସକର୍ମୀଙ୍କୁ ଓ ୨ ଡାକ୍ତରଙ୍କୁ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିଥିବାରୁ ଆଇପିସି ଧାରା ୨୧୮ ଓ ଧାରା ୨୦୧ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Subscribe

National International State Sports Entertainment