ଦିନକୁ ଦିନ ରାଜ୍ୟରେ ବଢୁଛି ତାପମାତ୍ରା । ଅସହ୍ୟ ଖରା ଓ ଗୁଳୁଗୁଳିରେ ସିଝୁଛି ସାରା ଓଡିଶା । ସକାଳ ୮ ଟା ରେ ତାପମାତ୍ରା ୩୪ ଡିଗ୍ରୀରେ ପହଂଚି ସାରିଲାଣି । ଯାହା ଫଳରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଲାଣି । ସୋମବାର ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏହା ତଳକୁ ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡ଼ାରେ ତାପମାତ୍ରା ଦ୍ୱିତୀୟ ସର୍ବାଧିକ ୪୧.୨ ଡିଗ୍ରୀ ରହିଥିଲା। ଏବେ ପୁଣି ପାରଦ ୪୦ ଡିଗ୍ରୀ ଡେଇଁଥିବାବେଳେ ୧୭ରୁ ୨୦ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ଆଗାମୀ ୫ ଦିନ ଯାଏଁ ତାପମାତ୍ରା ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭବନା ରହିଛି । ଏବଂ ଏପରି ପରିସ୍ଥିତିରେ ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ ନ କରାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଦିନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୈାଣସି ଶ୍ରମିକ କାମ କରିବେନି । ଆଉ ଯଦି ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇବେ ତାହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାକୁ କଡାକଡି ଭାବେ ବାରଣ କରାଯାଇଛି । ଯଦି ଏହି ନିର୍ଦ୍ଦେଶରେ ଅବମାନନା ହୁଏ , ତାହେଲେ ୨୦୦୫ ଧାରା ଅନୁଯାୟୀ କାର୍ଯ୍ୟୀନୁଷ୍ଠାନ ନିଆଯିବ ।