ଫୁଲବାଣୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ସମେତ ଜିଲ୍ଲାର ସମସ୍ତ ଅଧିକାରୀ,ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା,ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ୟାରେଡ ସ୍ଥଳରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ,ସ୍କୁଲ କଲେଜ ପ୍ରଭୃତିରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଜାତୀୟ ଉତ୍ସବ ପାଳନ ପାଇଁ ଆଲୋଚନା ହୋଇଥିଲା। ତେବେ ଫୁଲବାଣୀ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ପୋଲିସ ତରଫରୁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାସହିତ ବିଭିନ୍ନ ପ୍ରଦର୍ଶନୀ ମ୍ୟାଚ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଶୃଙ୍ଖଳିତ ଭାବେ ଆୟୋଜନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।