ଭୁୁବନେଶ୍ୱର: ନିର୍ବାଚନ ହାରିବା ପରଠୁ ରାଜ୍ୟରେ ବିଜୁ ଜନତା ଦଳର ଦଶା ଠିକ୍ ନାହିଁ । ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି । ଏହି କ୍ରମରେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀର ବିଧାୟିକା ଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦଳ ଟିକେଟ୍ ଦେଇଥିଲା । ଆଉ ବିଶ୍ୱରଞ୍ଜନ ବିଜୟୀ ମଧ୍ୟ ହୋଇଥିଲେ । ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସୁନନ୍ଦା ଦାସ । ଦଳର ଏତାଦୃଶ୍ୟ ତାଙ୍କୁ ମର୍ମାହତ କରିଛି । ତେଣୁ ସେ ଦଳ ଛାଡୁଥିବା କହିଛନ୍ତି ।
ଉଲ୍ଲେଖନୀୟ ୨୦୧୯ ନିର୍ବାଚନରେ ସୁନନ୍ଦାଙ୍କଠାରୁ ସେ ସମୟରେ ବିଜେପିର ପ୍ରାର୍ଥୀ ଥିବା ବିଶ୍ୱରଞ୍ଜନ ମଲ୍ଲିକ ୪ ହଜାର ଭୋଟରେ ହାରିଥିଲେ । ତଥାପି ୨୦୨୪ରେ ଦଳ ତାଙ୍କୁ ଆଉ ଭରସା କରି ନ ଥିଲା । ବିଜେଡିରେ ସୁନନ୍ଦା ନିଜକୁ ଅସହଜ ମଣିଥିଲେ । ଆଉ ଆଜି ସେ ନିଜ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ ସେହି ସମୟରେ ଇସ୍ତଫା ଦେଇଛନ୍ତି ଯେଉଁ ଦିନ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ଆସନରେ ବିଜୟୀ ହେବ ।