ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି । ପରବର୍ତ୍ତୀ ୨୪ଘଣ୍ଟାରେ ଅର୍ଥାତ ୩୦ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ।
ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଗତକାଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଥିଲେ । ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ବାତ୍ୟା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏ କୌଣସି ସୂଚନା ହସ୍ତଗତ ହୋଇନି । ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି ହୋଇ ନାହିଁ । ଏଥିସହ ଅନ୍ୟ ମଡେଲର ଆକଳନକୁ ଦେଖି ଲୋକମାନେ ଭୟଭୀତ ନହେବାକୁ କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।