୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ, ସେଦିନ ଥିଲା ଶୁକ୍ରବାର । ଅଭୁଲା ବାର, ପାଶୋରୀ ହେଉ ନଥିବା ତାରିଖ । ଆଉ ଭୁଲି ହେଉନଥିବା ଆତଙ୍କ । ସେଦିନ ଆଖି ଖୋଲିଲା ବେଳକୁ ପ୍ରକୃତି ଖେଳୁଥିଲା ମୃତ୍ୟର ଖେଳ । ଘୁ ଘୁ ଗର୍ଜନ କରି ମାଡି ଆସୁଥିଲା ପବନ, ଆଉ ବଞ୍ଚିବା ଆଶାରେ ଦୌଡୁଥିଲା ନିରୀହ ଜୀବନ ।
ଘଣ୍ଟା ପ୍ରତି ୨୯୦ କିଲୋମିଟର ବେଗର ବହୁଥିଲା ପବନ । ଭାଙ୍ଗୁଥିଲା ଅନେକ ଘର, ମାଟିରେ ଲୋଟୁଥିଲା ମହାଦ୍ରୁମ । ଜୁଆର ମାଡ଼ି ଆସୁଥିଲା । ମୂଷଳଧାରାରେ ବର୍ଷୁଥିଲା ବର୍ଷା । ବନ୍ଧୁ, ପରିଜନ, ଆତ୍ମୀୟ, କିଏ କେଉଁଠି ? କାହା ପାଖରେ ନଥାଏ କାହାରି ଖବର । ହଜାର ହଜାର ଶବକୁ ନିଜ ଗର୍ଭକୁ ଟାଣି ନେଇଥିଲା ଅଶାନ୍ତ ସମୁଦ୍ର। ସଂସାର ବୁଡୁଥିଲା, ସର୍ବସ୍ୱ ଯାଉଥିଲା । ଯୁଆଡ଼େ ଚାହିଁବ, କୁଢ଼କୁଢ଼ ଶବ । ସବୁଆଡ଼େ ଥିଲା ଆର୍ତ୍ତ ଚିତ୍କାର । ଆଉ ତା ଠୁ ବଳି ଯାଉଥିଲା ସବା ଗଦାରେ ନିଜର ମଣିଷକୁ ଖୋଜିବାର ସେ ଯନ୍ତ୍ରଣା । ଯାତନାକୁ ଆହୁରି ଭୟଙ୍କର କରିଥିଲା ଭୋକ । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ପୂରିଛି ୨୫ ବର୍ଷ। ହେଲେ ଆଜି ବି ଜଗସିଂପୁର ବାସୀଙ୍କ ପାଇଁ ସେହି କ୍ଷତ ଅଭୁଲା ଅଲିଭା ହୋଇ ରହିଯାଇଛି ।
ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ ।
ସେଦିନର ଘଟଣା ମନେପକାଇଲେ ଲୋମ ଟାଙ୍କୁରୀ ଉଠେ । ଉପକୂଳ ଓଡିଶାକୁ ଦୋହଲାଇ ଦେଇଥିଲା ମହାବାତ୍ୟା l ଛଡାଇ ନେଇଥିଲା ବାପା ଠାରୁ ପୁଅକୁ, ସ୍ୱାମୀ ଠାରୁ ସ୍ତ୍ରୀ କୁ, ଭାଇ ଠାରୁ ଭଉଣୀ କୁ l ଅନେକ ସୁଖର ସଂସାର କୁ ଉଜାଡି ଦେଇଥିଲା ମହାବାତ୍ୟା l ଅନେକ ଗାଁ ହୋଇପଡ଼ିଥିଲା ଜନଶୂନ୍ୟ l କୁଜଙ୍ଗ ଓ ଏରସମା ବ୍ଲକରେ ବାତ୍ୟା ରଚିଥିଲା ତାଣ୍ଡବ ଲୀଳା l ସମୁଦ୍ର କୂଳରୁ 20କିଲୋ ମିଟର ପର୍ଯ୍ୟନ୍ତ 30ଫୁଟ ଉଁଛର ସମୁଦ୍ର ମାଡି ଆସିଥିଲା।। 10ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ମହାବାତ୍ୟାରେ ପ୍ରାଣ ହରାଇଥିବା ବେଳେ ଚାରିଆଡ଼େ ଭାସି ବୁଲୁଥିଲା ଶବମାନ।। ଗୃହ ପାଳିତ ପଶୁପକ୍ଷୀଙ୍କ, ଗାଈ ଗୋରୁଙ୍କ ଶବ ଦେଖିଲେ ମଣିଷ ନିଜର ଧର୍ଯ୍ୟ ହରାଇ ବସିବ।। ସତରେ ପ୍ରକୃତି ନିଜର ତାଣ୍ଡବ ରଚିଲେ କେତେ ଧନ ଜୀବନ ନଷ୍ଟ କରିଦିଏ, ଏହି ମହାବାତ୍ୟା ଥିଲା ଏହାର ନଗ୍ନ ଉଦାହରଣ।।
ମହାବାତ୍ୟା ପରେ ଅନେକ ବାତ୍ୟା ଆସିଛି ଯେତେବେଳେ ବାତ୍ୟା ନାଁ ଶୁଣିବାକୁ ମିଳେ ସେତେବେଳ ଜଗତସିଂହପୁର ବାସୀ ଭୟଭୀତ ହେବା ସହ ପୁଣି ମନେ ପକାଇ ଦିଅନ୍ତି ସେହି ଅଶୁଭ ଶୁକ୍ରବାର ଦିନର କଥା l କିଭଳି ରହିଥିଲା ସେଦିନ l ଆଖି ଛଳଛଳ କରି କହିବା ବେଳକୁ ମନର କୋହ ବଖାଣୁଛି ମହାବାତ୍ୟା ର ଦୁଃଖ, ଏହିଭଳି ଅନେକ ପରିବାର କୁ ଛାରଖାର କରିଦେଇଥିଲା ୧୯୯୯ ମହାବାତ୍ୟା l କିଏ ଉଜୁଡି ଯାଇଥିଵା ପରିବାର କୁ ସଜାଡିବାକୁ ସଫଳ ହୋଇଛି ତ କିଏ ନିଜ ପରିବାର ର ଆତ୍ମୀୟ ସ୍ୱଜନ କୁ ହରାଇ ନିଜେ ବିକଳାଙ୍ଗ ହୋଇଯାଇଛି l ସମୟ ବଦଳିଛି, ବଦଳିଛି ବିଜ୍ଞାନ,ଏହା ସହିତ ଆଜି କୌଣସି ବାତ୍ୟା ଆଶଙ୍କା ସୃଷ୍ଟି ହେଲେ ସରକାର ତୁରନ୍ତ ନେଉଛନ୍ତି ପଦକ୍ଷେପ, ଲୋକ ସଚେତନ, ସରକାର ସଚେତନ କିନ୍ତୁ ସେହି କାଳ କରାଳ ମହାବାତ୍ୟା କୁ ସାମ୍ନା କରିଥିବା ପରିବାର ପାଇଁ ସବୁ ବାତ୍ୟା ହୋଇପଡିଛି ମହାବାତ୍ୟା ସଦୃଶ...