ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ ମଦ ଦୁର୍ନୀତି ସହ ଜଡିତ ଅର୍ଥ କାରବାର ମାମଲାରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ନେତାଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡ୍ରିଂ ମାମଲାରେ ମକଦ୍ଦମା ଜାରି ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଗତ ବର୍ଷ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ସରକାରୀ କର୍ମଚାରୀ ଉପରେ ମକଦ୍ଦମା ଜାରି ରଖିବାକୁ ହେଲେ ଇଡିକୁ ଅନୁମତି ନେବାକୁ ପଡ଼ିବ ।
ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଦାଖଲ କରିଥିବା ନିଜର ଯାଚିକାରେ କହିଥିଲେ ତାଙ୍କ ବିରୋଧରେ ଇଡି ଲଗାଇଥିବା ଚାର୍ଜସିଟ୍ ଅବୈଧ ଅଟେ । କାରଣ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ନିଆଯାଇ ନ ଥିଲା । ଏହା ପରେ 2024 ଡିସେମ୍ବରରେ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଅଭିଯୁକ୍ତ ହୋଇଥିବାରୁ ମକଦ୍ଦମା ଜାରି ରଖିବାକୁ ଇଡି ଉପ ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲା ।
ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟୀ ଉପରେ ବର୍ଷିଥିଲେ । ବିଧାନସଭାରେ ବିଳମ୍ବରେ ସିଏଜି ରିପୋର୍ଟ ଉପରେ ଚର୍ଚ୍ଚାକୁ ନେଇ କଡ଼ା ଟିପ୍ପଣୀ ଦେଇଥିଲେ କୋର୍ଟ । ବିଚାରପତି ସଚିନ ଦତ୍ତ କହିଥିଲେ ଯେ ସିଏଜି ରିପୋର୍ଟକୁ ବିଧାନସଭାରେ ଗୃହରେ ଉପସ୍ଥାପିତ କଲେ ନାହିଁ । ସେଥିପାଇଁ ଦିଲ୍ଲୀ ସରକାର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପଛ ଘୁଞ୍ଚା ଦେଲେ । ଏହା ଦ୍ୱାରା ଆପଣଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠିଛି । ସିଏଜି ରିପୋର୍ଟକୁ ତୁରନ୍ତ ବାଚସ୍ପତିଙ୍କ ନିକଟକୁ ପଠାଇବାର ଥିଲା ଏବଂ ଏହା ଉପରେ ଆଲୋଚନା କରିବାର ଥିଲା ।