କୋଲକାତା: ଲୋକଙ୍କ ହିତ ଏବଂ ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଆଜି ଆରଜି କର ହସ୍ପିଟାଲର ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହଡ଼ତାଳ କରୁଥିବା ଡାକ୍ତରମାନେ ଆଲୋଚନା କରିବାକୁ ମନା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ମମତା କହିଛନ୍ତି, ତାଙ୍କ ସରକାର ଆନ୍ଦୋଳନରତ ଡାକ୍ତରଙ୍କ ଆଲୋଚନା କରିବା ପାଇଁ ପ୍ରସ୍ତୁତ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ଡାକ୍ତରମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ମୁଁ ଜାଣେ ଅଧିକାଂଶ ଡାକ୍ତର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିଲେ। ମାତ୍ର ଜଣେ ଦୁଇ ଜଣ ଲୋକଙ୍କୁ ବାହାରୁ ଆଲୋଚନା ନ କରିବାକୁ ନିର୍ଦ୍ଦେଶ ମିଳୁଥିଲା। ଏହି ଆନ୍ଦୋଳନ ସଂପୂର୍ଣ୍ଣ ରାଜନୈତିକ ପ୍ରେରିତ ଲାଗୁଛି। ଏହା ପଛରେ ବାମପନ୍ଥୀଙ୍କ ହାତ ରହିଛି।
ମୁଁ ସାଧାରଣ ଜନତାଙ୍କ ହିତ ଏବଂ ନ୍ୟାୟ ପାଇଁ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ମାତ୍ର ବିରୋଧୀ ନ୍ୟାୟ ଚାହାନ୍ତି ନାହିଁ। ସେମାନଙ୍କୁ କେବଳ ପଦ ଦରକାର। ସେ ଏହା ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ଜନତା ଚାହିଁ ରହିଥିଲେ ଯେ, ଅନ୍ତତଃ ପକ୍ଷେ ଆଜି ସମାଧାନର ରାସ୍ତା ବାହାରିବ। ଡାକ୍ତରଙ୍କୁ ଡ୍ୟୁଟିକୁ ଆଣି ନ ପାରିବାରୁ ମୁଁ ଜନତାଙ୍କୁ କ୍ଷମା ମାଗୁଛି।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଶବ୍ଦ କହିଛନ୍ତି, ସେ ଆନ୍ଦୋଳନକାରୀ ଜୁନିୟର ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେମାନଙ୍କୁ କ୍ଷମା କରି ଦେବୁ କାରଣ ଆମେ ବୟସରେ ବଡ଼। ମମତା କହିଛନ୍ତି, ରାଜ୍ୟରେ ଚିକିତ୍ସା ନ ମିଳିବା କାରଣରୁ ୨୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ମାତ୍ର ଡାକ୍ତରଙ୍କ ହଡ଼ତାଳ ଜାରି ରହିଛି। ମୁଁ ଥର ଆଲୋଚନା ପାଇଁ ଉଦ୍ୟମ କଲି, ମାତ୍ର ଡାକ୍ତରମାନେ ବୈଠକକୁ ଆସିଲେ ନାହିଁ। ଏବେ ଯଦି କୌଣସି ବୈଠକ ହୁଏ ତେବେ ତାହା ମୁଖ୍ୟ ସଚିବ ଓ ବାକି ଅଧିକାରୀଙ୍କ ସହ ହେବ।