ନୂଆଦିଲ୍ଲୀ, ମେ ୦୩ (ଖବର ଓଡ଼ିଶା): କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ଅଚାନକ ନେପାଳ ପହଞ୍ଚିଛନ୍ତି । ଜାତୀୟ ଗଣମାଧ୍ୟମକୁ ପ୍ରଥମେ କୌଣସି ସୂତ୍ରରୁ ସୂଚନା ମିଳିଥିଲା ଯେ, ରାହୁଲ ଗାନ୍ଧୀ ସୋମବାର ସନ୍ଧ୍ୟାରେ କାଠମାଣ୍ଡୁରେ ପହଞ୍ଚିଛନ୍ତି ଓ ସେ କୌଣସି ବିବାହ ସମାରୋହରେ ଯୋଗଦେବା ପାଇଁ ପଡୋଶୀ ଦେଶକୁ ଗସ୍ତ କରିଛନ୍ତି ।
ରାହୁଲ ଗାନ୍ଧୀ ଅଚାନକ କାଠମାଣ୍ଡୁ ଗସ୍ତ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ପରେ ଜଣାପଡ଼ିଛି ଯେ, କଂଗ୍ରେସ ନେତାଙ୍କ ଏହି ଗସ୍ତ ବ୍ୟକ୍ତିଗତ । ସେ କାଠମାଣ୍ଡୁସ୍ଥିତ ଏକ ହୋଟେଲରେ ଅଛନ୍ତି । ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋମବାର ଅପରାହ୍ନ ସାଢ଼େ ୪ଟାରେ ଭିସ୍ତାରା ଏୟାର ବିମାନରେ ନେପାଳ ଯାଇଥିଲେ ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ନେପାଳରୁ ସ୍ୱଦେଶ ଫେରିବା ପରେ ମେ’ ୬ ଓ ୭ ତାରିଖରେ ତେଲେଙ୍ଗାନା ଗସ୍ତ କରିବେ । ଏହି ସମୟରେ ରାହୁଲ ଗାନ୍ଧୀ ହାଇଦ୍ରାବାଦର ଉସ୍ମାନିଆ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ତେଲେଙ୍ଗାନା କଂଗ୍ରେସ ୱାରଙ୍ଗଲରେ ପାଖାପାଖି ୫ ଲକ୍ଷ ସମର୍ଥକଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଏକ ଭବ୍ୟ ବୈଠକ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି ।