ଲକ୍ଷ୍ନୌ, ଜାନୁଆରୀ ୧୯ (ଖବର ଓଡ଼ିଶା): ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ହାଥରସ୍ ଦୁଷ୍କର୍ମ ଘଟଣାର ପୀଡିତାଙ୍କ ପରିବାର କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ପାର୍ଟି ପୀଡିତ ପରିବାରର ସଦସ୍ୟଙ୍କୁ ଟିକେଟ ଦେଇ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା। ପୀଡିତାଙ୍କ ଭାଇ କଂଗ୍ରେସ ଟିକେଟ ଦିଆଯିବା ନେଇ କହିଛନ୍ତି ଯେ, କଂଗ୍ରେସ ଆମକୁ ଏହି ଅଫର ଦେଇଛି, ଏଥି ପାଇଁ ସ୍ବାଗତ କରୁଛେ। ମାମଲା ଏବେ କୋର୍ଟରେ ଚାଲିଛି। ଦେଢ ବର୍ଷ ହେଲା ଏପର୍ଯ୍ୟନ୍ତ ପୀଡିତାଙ୍କୁ ନ୍ୟାୟ ମିଳିପାରି ନାହିଁ। ତେଣୁ ନିର୍ବାଚନ ଲଢ଼ିପାରିବେ ନାହିଁ।
ପୀଡିତାଙ୍କ ଭାଇ କହିଛନ୍ତି ଯେ, କଂଗ୍ରେସର କୌଣସି ନେତା ଅଥବା ଦଳର ଅଧିକାରୀଙ୍କ ସହିତ ଆମେ କଥା ହୋଇ ନଥିଲୁ। କେବଳ ଲୋକଙ୍କ ଠାରୁ ଶୁଣିବାକୁ ପାଇଛୁ ଯେ, କଂଗ୍ରେସ ଟିକେଟ ଦେଉଛି। ହାଥରସରେ ଚର୍ଚ୍ଚାର ବିଷୟ ହୋଇଛି ଯେ, କଂଗ୍ରେସ ’ଝିଅ ମୁଁ, ଲଢ଼ିପାରିବି’ ଶ୍ଲୋଗାନରେ ଟିକେଟ ଦେଉଛି। ଚର୍ଚ୍ଚା ହେଉଥିଲା ଯେ, ହାଥରସ ଦୁଷ୍କର୍ମ ପୀଡିତାଙ୍କ ପରିବାର କୌଣସି ମହିଳାଙ୍କୁ ଟିକେଟ ଦେଇ କଂଗ୍ରେସ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବିରୋଧରେ ନିର୍ବାଚନ ପଡ଼ିଆକୁ ଆଣୁଛି।