ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା ସୋମବାର ଗୃହରେ ପ୍ରଶ୍ନକାଳ ସମୟରେ ନାରାବାଜି କରୁଥିବା ବିରୋଧୀ ସାଂସଦଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି । ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ, ସେ ନିଜ ଦଳର ନେତାଙ୍କୁ ବୁଝାନ୍ତୁ ଯେ ଜନତା ସେମାନଙ୍କୁ ପାମ୍ପଲେଟ୍ ଫିଙ୍ଗିବା ଏବଂ ପୋଷ୍ଟର ଆଣିବା ପାଇଁ ଏଠାକୁ ପଠାଇ ନାହାନ୍ତି । ଦେଶ ଏହା ଜାଣିବାକୁ ଚାହାନ୍ତି ଯେ, କାହିଁକି ପ୍ରଶ୍ନକାଳକୁ ସୁନିୟୋଜିତ ଭାବେ ବାଧିତ କରାଯାଉଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦ ବିହାରରେ ଜାରି ଭୋଟର ତାଲିକା ପୁନଃନିରୀକ୍ଷଣ ପ୍ରସଙ୍ଗରେ ଲୋକସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରିଛନ୍ତି ।
ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ ବିର୍ଲା ଯେମିତି ପ୍ରଶ୍ନକାଳ ଆରମ୍ଭ କରାଇଲେ, ବିରୋଧୀ ଦଳର ସାଂସଦମାନେ ଏସଆଇଆର ପ୍ରତ୍ୟାହାର କର ନାରାବାଜି ଦେବାରେ ଲାଗିଥିଲେ । ବିର୍ଲା ଏହି ସମୟରେ କହିଛନ୍ତି, କଣ ଆପଣ ଗୃହକାର୍ଯ୍ୟ ବାଧାପ୍ରାପ୍ତ କରିବାକୁ ଚାହାନ୍ତି, କଣ ଅପରେସନ ସିନ୍ଦୂର ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ? ଆପଣମାନେ ଆଗରୁ ତ କହୁଥିଲେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାହୁଁଥିଲେ । ତେବେ ଏବେ କାହିଁକି ଆପଣମାନେ ସଦନକୁ ଚାଲିବାକୁ ଦେଉ ନାହାନ୍ତି । ଏହି ସମୟରେ ଓମ ବିର୍ଲା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମାନନୀୟ ବିରୋଧୀ ଦଳ ନେତା, ଆପଣ ନିଜ ନେତାଙ୍କୁ ବୁଝାନ୍ତୁ, ସେମାନଙ୍କୁ ସଂସଦକୁ ପାମ୍ପଲେଟ୍ କି ବ୍ୟାନର ଫିଙ୍ଗିବା ପାଇଁ ଜନତା ପଠାଇ ନାହାନ୍ତି ।
ଲୋକସଭା ବାଚସ୍ପତି ନାରାବାଜି କରୁଥିବା ସାଂସଦଙ୍କୁ କହିଛନ୍ତି, ଆପଣମାନେ ସୁନିୟୋଜିତ ଭାବେ ଗୃହକାର୍ଯ୍ୟ ଚଳାଇବାକୁ ଦେଉ ନାହାନ୍ତି । ସଂସଦର ଗାରିମାକୁ ନିମ୍ନଗାମୀ କରି ଚାଲିଛନ୍ତି । ସଂସଦରେ ଆପଣ ଆଲୋଚନା ହିଁ କରିବାକୁ ଚାହୁଁ ନାହାନ୍ତି । ଦେଶ ଜାଣିବାକୁ ଚାହୁଁଛି ଯେ ଆପଣମାନେ କାହିଁକି ପ୍ରଶ୍ନକାଳ ହେବାକୁ ଦେଉ ନାହାନ୍ତି । ପ୍ରଶ୍ନକାଳରେ ଅନ୍ୟ ସାଂସଦଙ୍କୁ କହିବାକୁ ଦେଉ ନାହାନ୍ତି । ଏମିତି କରିବା ଉଚିତ୍ ନୁହେଁ । ଏହି ଗୃହ ସମସ୍ତଙ୍କର । ଏହା ଦେଶର ୧୪୦ କୋଟି ଜନତାଙ୍କ ଅଭିବ୍ୟକ୍ତିର ସର୍ବୋଚ୍ଚ ସଂସ୍ଥା ।