ନୂଆଦିଲ୍ଲୀ, ଜୁଲାଇ ୨୭ (ଖବର ଓଡ଼ିଶା): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପୁଣି ଥରେ ଇଡି ସାମ୍ନାରେ ହାଜର ହେବେ । ଏହା ପୂର୍ବରୁ ମଙ୍ଗଳବାର ଇଡି ସୋନିଆ ଗାନ୍ଧୀଙ୍କୁ ୬ ଘଣ୍ଟା ପଚରାଉଚରା କରିଥିଲା । ପ୍ରଥମେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ସୋନିଆ ଇଡି ଦ୍ୱାରା କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ପୁଣି ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ସାଢ଼େ ୩ଟାରେ ଇଡିରେ ହାଜର ହୋଇଥିଲେ । ସୋନିଆ ଗାନ୍ଧୀଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ର ମଧ୍ୟ ଥିଲେ । ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ସହିତ ଜଣେ ବ୍ୟକ୍ତିଙ୍କୁ ଇଡି କାର୍ଯ୍ୟାଳୟରେ ରହିବାକୁ ଅନୁମତି ଦେଇଥିଲା । ଏହି ସମୟରେ କଂଗ୍ରେସ ପକ୍ଷରୁ ଦିନସାରା ହଙ୍ଗାମା ମଧ୍ୟ କରାଯାଇଥିଲା । କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲା ।
କଂଗ୍ରେସ ନେତା ଅଜୟ ମାକନ କହିଛନ୍ତି ଯେ, ବୁଧବାର ମଧ୍ୟ ଦେଶବ୍ୟାପୀ ନିଜର ସତ୍ୟାଗ୍ରହ ଜାରି ରଖିବେ । ଲୋକଙ୍କ ପ୍ରସଙ୍ଗକୁ ଉଠାଇବେ । ଦିଲ୍ଲୀରେ ଆମେ ନିଜର କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିରୋଧ କରିବୁ । ଏଥି ପାଇଁ ସଂଗଠନ ପ୍ରଭାରୀ ସବୁ ରାଜ୍ୟ ଶାଖାକୁ ନିର୍ଦ୍ଦେଶ ପଠାଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ କଂଗ୍ରେର ସତ୍ୟାଗ୍ରହ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସୋନିଆ ଗାନ୍ଧୀ ଫେରିବା ପର୍ଯ୍ୟନ୍ତ ଜାରି ରହିବ ।