ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେନେଇ ଘୋଷଣା ସରିଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦୁଝର ବିଧାୟକ ମୋହନ ମାଝୀ ବିଧାୟକ ହେବେ। ସେହିପରି ଆନ୍ଧ୍ରପ୍ରଦେଶରେ ବିଜେପି ସମର୍ଥିତ ଏନ୍ଡିଏର ସହଯୋଗୀ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି)ର ବିଧାୟକ ନାରା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢ଼ିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ସେହିପରି ଉଭୟ କାର୍ଯ୍ୟକ୍ରମରେ ଅନ୍ୟ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା, କର୍ମୀ, ବିଭିନ୍ନ ରାଜନୈତିକ ଦଳର ନେତା, ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିବେ।
ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହେଲା ପରେ ଶ୍ରୀ ମାଝୀ ଉପମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା, ଅନ୍ୟ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ରାଜଭବନ ଯାଇଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ବିଜେପିର ୭୮ ବିଧାୟକ ଓ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିବା ସେ ଅବଗତ କରାଇଥିଲେ। ଏହା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ।
ବରିଷ୍ଠ ଆଦିବାସୀ ନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟା ୫ଟାରେ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ସୁରକ୍ଷା ଦୃଷ୍ଟିକୋଣରୁ ଜୟଦେବ ବିହାର ଛକ ଠାରୁ ଜନତା ମଇଦାନରେ ମଧ୍ୟ ବ୍ୟାପକ ପୁଲିସର ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବିଜୟୱାଡା ଉପକଣ୍ଠ ଗନ୍ନାବରମ ବିମାନବନ୍ଦର ନିକଟ କେସରପଲ୍ଲୀସ୍ଥିତ ଆଇଟି ପାର୍କ ପଡ଼ିଆ ପ୍ରସ୍ତୁତ ହୋଇସାରିଛି। ଚନ୍ଦ୍ରବାବୁ ନାଇଡୁ ପୂର୍ବାହ୍ଣ ୧୧ଟା ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମଙ୍ଗଳବାର ଟିଡିପି ବିଧାୟକ ଦଳ ଓ ଏନ୍ଡିଏ ଶ୍ରୀ ନାଇଡୁଙ୍କୁ ନିଜର ନେତା ଭାବେ ଚୟନ କରିଥିଲା।
ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ମାଝୀ କେନ୍ଦୁଝର ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ସେ ୮୭,୮୧୫ ଖଣ୍ଡ ଭୋଟ୍ ପାଇଥିଲେ। ନିକଟତମ ପ୍ରାର୍ଥୀ ମୀନା ମାଝୀଙ୍କୁ ୧୧,୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଆସନରୁ ନିର୍ବାଚନ ଲଢ଼ି ୧,୨୧,୯୨୯ ଖଣ୍ଡ ଭୋଟ୍ ହାତେଇଥିଲେ। ସେ ୱାଇଏସ୍ଆରସିପି ପ୍ରାର୍ଥୀ କେଆରଜେ ଭରତଙ୍କୁ ୪୮,୦୦୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ରେ ୧୪୭ ଆସନରୁ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି। ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତିନି ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି। ନବୀନ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ମାସ ଠାରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆନ୍ଧ୍ର ବିଧାନସଭା ନିର୍ବାଚନ-୨୦୨୪ରେ ୧୭୫ରୁ ଟିଡିପି ୧୩୫, ଜନସେନା ୨୧, ବିଜେପି ୮ ଓ ୱାଇଏସ୍ଆରସିପିକୁ ୧୧ଟି ଆସନରେ ବିଜୟ ହାସଲ ହୋଇଥିଲା।