ବିଜେପିକୁ ରାଜ୍ୟରେ ପ୍ରାର୍ଥୀ ମିଳୁନାହାନ୍ତି। ୨୦୨୪ ନିର୍ବାଚନରେ ୮୦ ଟି ବିଧାନସଭା ଆସନରେ ଜିତିବ ବୋଲି କହୁଥିବା ବିଜେପି ଏଯାଏଁ ୮୦ ଆସନ ପାଇଁ ବି ପ୍ରାର୍ଥୀ ପାଉନି । ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି ବୋଲି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ।
ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ କଥା ହେଲା, ୮୦ ଆସନ ପାଇଁ ବି ବିଜେପିକୁ ପ୍ରାର୍ଥୀ ମିଳୁନି । ୨୦୨୪ ରେ ୮୦ ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା । ହେଲେ ଏଯାଏଁ ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି । ଏହା ଓଡିଶା ବିଜେପିର ଅସଲ ସ୍ଥିତି ।
ତେବେ ପ୍ରାର୍ଥୀ ମିଳୁ ନଥିବା ବିଜେଡି ଅଭିଯୋଗକୁ ନେଇ ବିଜେପିରୁ କାଉଣ୍ଟର ଆଟାକ୍ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି ବିଜେଡି ପ୍ରଥମେ ସବୁ ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କରୁ । ବିଜେଡି କାହିଁକି ଏଯାଏଁ ଅଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ବିଜେପି ଟିକେଟ କୁ ନେଇ ବିଜେଡିର କାହିଁକି ଏତେ ମୁଣ୍ଡ ବିନ୍ଧା । ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ । ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଭାଜପାରେ ପ୍ରାର୍ଥୀ ଟିକେଟ ନାମତାଲିକା ଘୋଷଣା କରନ୍ତି । ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ଅନ୍ୟପଟେ ବିଜେଡି ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି, ଏଥିସହ ସେମାନେ ପ୍ରଳାପ କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ବର୍ତ୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ସ୍ପଷ୍ଟ କରୁ । ବାସ୍ତବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ିଦେଉଛନ୍ତି । ମିଥ୍ୟା ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି ବୋଲି ଗୋଲକ କହିଛନ୍ତି ।
ଅଧିକ ପଢ଼ନ୍ତୁ : ଏପ୍ରିଲ ୩ରୁ ସୋଆ ଏସ୍ଏଚ୍ଏମ୍ ପକ୍ଷରୁ “ପଖାଳ ଉତ୍ସବ”