ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଏହି ସମୟରେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବାପାଙ୍କ ସହ ଦିଲ୍ଲୀ ଯାଇଛନ୍ତି ।
ସୋମବାର ଅପରାହ୍ନରେ ଜେଏମଏମ ସୁପ୍ରିମୋ ଶିବୁ ସୋରେନ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଜଣାପଡିଥିଲା । ଏହା ପରେ, ତାଙ୍କୁ ତୁରନ୍ତ ରାଞ୍ଚିର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ଶିବୁ ସୋରେନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ, ଶିବୁ ସୋରେନଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ପଠାଯାଇଥିଲା । ବର୍ତ୍ତମାନ ତାଙ୍କ ସହିତ ଏକ ଡାକ୍ତରୀ ଟିମ୍ ମଧ୍ୟ ଅଛନ୍ତି । ଏହି ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଏହା ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ରାଞ୍ଚି ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି । ସେ ୟୁପିଏର ପ୍ରଥମ କାର୍ଯ୍ୟକାଳରେ କୋଇଲା ମନ୍ତ୍ରୀ ଥିଲେ । କିନ୍ତୁ ଚିରୁଡିହ ହତ୍ୟା ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଶିବୁ ତାଙ୍କ ବାପା ଶୋଭରାମ ସୋରେନଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ ।