ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସ୍ୱିକାରୋକ୍ତି ସାମ୍ନାକୁ ଆସିଛି । ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କର ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ଥିଲା, ଏବଂ ସେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଜଣେ ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । କେମିତି ପାକିସ୍ତାନ ଏଜେଣ୍ଟଙ୍କ ସହ ସମ୍ପର୍କରେ ରହି ଗୁଇନ୍ଦାଗିରି ଚଳାଇଥିଲେ ପୋଲିସ୍ ଆଗରେ ସବୁ ଖୋଲି କହିଛନ୍ତି । ଗତ ୨ ବର୍ଷରେ ୩ ଥର ପାକିସ୍ତାନ ଗସ୍ତ, ପ୍ରୋ-ପେକ୍ ଭିଡିଓରୁ ଆରମ୍ଭ ବାର୍ଲି ଯାତ୍ରା ଯାଏ ସେ କିପରି ପାକିସ୍ତାନ ସହ ଲିଙ୍କରେ ରହିଥିଲେ ସବୁ ତଥ୍ୟ ରଖିଛନ୍ତି ।
ଜ୍ୟୋତିଙ୍କ କହିବାନୁଯାୟୀ, ସେ ପ୍ରଥମେ ୨୦୨୩ ମସିହାରେ ପାକିସ୍ତାନ ଯାତ୍ରା ପାଇଁ ଭିସା ପାଇଁ ଉଚ୍ଚାୟୋଗକୁ ଯାଇଥିବା ସମୟରେ ଦାନିଶ ଓରଫ ଏହସର ଦାରଙ୍କ ସହ ଯୋଗାଯୋଗରେ ଆସିଥିଲେ । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ମେ ୧୩ ତାରିଖରେ ଭାରତ ଦ୍ୱାରା ବହିଷ୍କୃତ କୂଟନୀତିଜ୍ଞଙ୍କ ମଧ୍ୟରେ ଦାନିଶ ମଧ୍ୟ ଥିଲେ, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।
୩୩ ବର୍ଷୀୟା ମହିଳା ୟୁଟ୍ୟୁବର ଜ୍ୟୋତି ଏହା ବି କହିଛନ୍ତି ଯେ ତାଙ୍କ ପାକିସ୍ତାନ ଗସ୍ତ ସମୟରେ, ସେ ଦାନିଶଙ୍କ ଯୋଗାଯୋଗରେ ଅଲି ହାସନଙ୍କୁ ଭେଟିଥିଲେ, ଯିଏ ତାଙ୍କ ରହିବା ଏବଂ ଯାତ୍ରା ବ୍ୟବସ୍ଥା କରିଥିଲେ । ଅଲି ହାସନ ତାଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀ ବୋଲି ବିଶ୍ୱାସ କରାଯାଉଥିବା ଦୁଇ ଜଣ ବ୍ୟକ୍ତି – ଶାକିର ଏବଂ ରାଣା ଶହବାଜଙ୍କ ସହିତ ପରିଚୟ କରାଇଥିଲେ। ଏଥିସହିତ ସନ୍ଦେହ ଏଡାଇବା ପାଇଁ ସେ ତାଙ୍କ ଫୋନରେ ‘ଜଟ୍ ରାଧାୱା’ ଛଦ୍ମନାମରେ ଶାକିରଙ୍କ ନମ୍ବର ସେଭ୍ କରିଥିଲେ । ଭାରତ ଫେରିବା ପରେ, ସେ ହ୍ୱାଟ୍ସଆପ୍, ସ୍ନାପଚଟ୍ ଏବଂ ଟେଲିଗ୍ରାମ ଭଳି ଏନକ୍ରିପ୍ଟେଡ୍ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଏଜେଣ୍ଟଙ୍କ ସହ ଯୋଗାଯୋଗ ବଜାୟ ରଖିଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଆଗେ କହିଛନ୍ତି ଜ୍ୟୋତି । ଆହୁରି ଅଧିକ ତଥ୍ୟ ପାଇଁ ପୋଲିସ୍ ତାଙ୍କୁ ଏବେ ଅଧିକ ଜେରା କରୁଛି ।